ଆସୁଛି ଲଘୁଚାପ ବର୍ଷା ! ଆଡଭାଇଜରି ଜାରି କଲା ଓୟୁଏଟି, ବର୍ଷା ପୂର୍ବରୁ ପାଚିଲା ଧାନକୁ କାଟି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ

31

କନକ ବ୍ୟୁରୋ: ଆସୁଛି ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୧୩ରୁ ୧୫ ମଧ୍ୟରେ ହାଲକା ବର୍ଷା ହେବ ଓ ୧୬ରୁ ୧୮ ମଧ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଯାହା ଧୀରେ ଧୀରେ ଆଣ୍ଡାମାନ ଉପକୂଳ ଆଡକୁ ଗତି କରୁଛି । ୧୨ରୁ ହାଲକା ବର୍ଷା ଆରମ୍ଭ ହେବ । ୧୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆଉ ବର୍ଷାକୁ ନେଇ ଚାଷୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ଓୟୁଏଟି । ଧାନ ପାଚିଥିଲେ କାଟି ଆଣି ସୁରକ୍ଷିତ ରଖିବାକୁ ପରାମର୍ଶ । ଧାନ ପାଚିନଥିଲେ ସଲଟ ସଲ୍ୟୁସନ ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଛିା ସେହିଭଳି ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ମିଶାଇବାକୁ ପରାମର୍ଶ ଦିଆଯାଇଛି ।

ରୋଗ ପୋକର ଦୁଃଖ ନଯାଉଣୁ ଚାଷୀଙ୍କ ପାଇଁ ଆଉ ଏକ ବିପଦ ମାଡିଆସୁଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସଷ୍ଟି ହୋଇଛିି । ଯାହା ଧୀରେ ଧୀରେ ଆଣ୍ଡାମାନ ଉପକୂଳ ଆଡକୁ ଗତି କରୁଛି । ଏହାର ପ୍ରଭାବରେ ଆସନ୍ତା ୧୨ ଓ ୧୩ ତାରିଖରୁ ଦକ୍ଷିଣ ଓଡିଶାରେ ଅଳ୍ପ ବହୁତ ବର୍ଷା ହେବ । ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ୧୫ରୁ ୧୮ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୧୩ ତାରିଖରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ । ନୟାଗଡ, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି । ଏହା ପୂର୍ବରୁ ପାଚି ଯାଇଥିବା ଧାନକୁ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଛି । ବର୍ଷା ଆଶଙ୍କାକୁ ନଜରରେ ରଖି ରାଜସ୍ୱ ବିଭାଗର ବୈଠକ ହୋଇଛି । ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇ ମନ୍ତ୍ରୀଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ଗୁଡିକର ଚାଷୀଙ୍କୁ ଆଗ୍ରୁଆ ସତର୍କ ସୂଚନା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।