ଆଜି ବଲାଙ୍ଗିର ମେଡିକାଲ କଲେଜର ହେବ ଉଦଘାଟନ! ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

60

କନକ ବ୍ୟୁରୋ : ଆଜି ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ଦୁଇ ଦଶନ୍ଧି ଧରି ବଲାଙ୍ଗୀର ଜିଲ୍ଳାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା କରିଥିଲେ ତାର ଅନ୍ତ ଘଟିବ । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନିୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଶେଷ କରି ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ ନାମିତ କରିବା ପାଇଁ ସ୍ଥାନିୟ ବାସିନ୍ଦା ଦାବି କରିଆସୁଥିଲେ । ଏହା ପୂରଣ ହୋଇଥିବାରୁ ଲୋକଙ୍କ ଖୁସି କହିଲେ ନ ସରେ ।

ଅନ୍ୟପଟେ ନିମନ୍ତ୍ରଣ ପତ୍ରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ମେଡିକାଲ କଲେଜର ଉଦଘାଟନ ପାଇଁ ଦୁଇ ଦୁଇଟି ନିମନ୍ତ୍ରଣ ପତ୍ର ଛପାଯାଇଥିବା ଜଣାପଡିଛି । ସରକାର ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରିଥିଲେ । ହେଲେ ଶେଷ ମୂହୂର୍ତରେ ଆଉ ଏକ ନିମନ୍ତ୍ରଣ ପତ୍ର ଛପାଯାଇ ପୁଣି ବଂଟା ଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଯୋଗଦାନ ଯୋଗଦାନ ସମ୍ପର୍କରେ ସମ୍ମତି ପତ୍ର ମିଳିନଥିଲା । ତେଣୁ ପୂର୍ବରୁ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ତାଙ୍କ ନାମ ନଥିଲା । ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଡ୍ଡାଙ୍କ ଯୋଗଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ଏଣୁ ତୁରନ୍ତ ଏକ ନୂତନ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ଓ ଏହା ବଂଟାଯାଇଛି ।