ବାୟୁସେନା ବିମାନ ଏଏନ -୩୨ର ମିଳୁନି ପତ୍ତା : ନିଖୋଜଙ୍କ ମଧ୍ୟରେ ୨ ଓଡିଆ

20

ଗଂଜାମ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତ୍ତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜମାନଙ୍କ ଭିତରେ ୨ ଜଣ ଓଡିଆ ଯୁବକ ଅଛନ୍ତି । ଜଣେ ଯାଜପୁରର ପୂର୍ଣ୍ଣଚନ୍ଦ୍ର ସେନାପତି ଏବଂ ଅନ୍ୟଜଣେ ଗଂଜାମ ଜିଲ୍ଲା ଶୁକୁଣ୍ଡା ଅଂଚଳର ଚରଣ ମହାରଣା । ପୂର୍ଣ୍ଣଚନ୍ଦ୍ର ବିମାନରେ ଥିବା ନେଇ ତାଙ୍କ ପରିବାର ଲୋକ ଜଣାଇଛନ୍ତି । ଗତକାଲି ଚେନ୍ନାଇରୁ ତାଙ୍କର ଜଣେ ସାଙ୍ଗ ଫୋନ କରି ଜଣାଇଛନ୍ତି । ସେପଟେ ଘଟଣା ବାବଦରେ ଜାଣିବା ପରେ ଚରଣଙ୍କ ଭାଇ ସନ୍ତୋଷ କୁମାର ମହାରଣା ବିଶାଖାପାଟଣାରେ ପହଂଚିଛନ୍ତି । ସେ ବାୟୁସେନାରେ ଟେକ୍ନିସିଆନ ଭାବେ କାମ କରନ୍ତି । ବିମାନ ନିଖୋଜ ଖବର ପାଇବା ପରେ ତାଙ୍କ ପରିବାରରେ ଭୟର ପରିବେଶ ସୃଷ୍ଟି ହୋଇଛି । ବିମାନଟି ବିଶାଖାପାଟଣାରୁ ଚେନ୍ନାଇ ଯିବା ପରେ ଆଣ୍ଡାମାନ ଯିବା ନେଇ ଚରଣ ଘରକୁ ଖବର ଦେଇଥିଲା ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ସେପଟେ ଏହି ବିମାନ ଶୁକ୍ରବାର ସକାଳ ୯ଟା ବେଳେ ଚେନ୍ନାଇରୁ ପୋର୍ଟବ୍ଲେୟାର ପାଇଁ ଉଡାଣ ଆରମ୍ଭ କରିଥିଲା । ମାତ୍ର ୧୬ ମିନିଟ ପରେ ଏହି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏବେ ବି ନିଖୋଜ ବିମାନକୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି ।