ମୟୂରଭଞ୍ଜର ‘ମୋଗଲି’ ! ସାପ ସହ ଖେଳୁଛନ୍ତି, ଜଙ୍ଗଲି ହାତୀ ସହ ବୁଲୁଛନ୍ତି ।

55

କନକ ବ୍ୟୁରୋ : ମୟୁରଭଂଜର ମୋଗଲି । ଯିଏ ପାଲଟିଯାଇଛି ଜଙ୍ଗଲର ପଶୁ ପକ୍ଷୀଙ୍କ ବନ୍ଧୁ । ଆଉ ହିଂସ୍ର ଜୀବମାନେ ମଧ୍ୟ ତାର ଗୋଟିଏ ଗୋଟିଏ ସାଙ୍ଗ । ଜଙ୍ଗଲୀ ପଶୁଙ୍କ ସହ ଏହି ମୋଗଲି ଖେଳୁଛି, ବୁଲୁଛି ଆଉ ତାଙ୍କ ସହ ସମୟ ବିତାଉଛି । ନା ବିଶାଳକାୟ ହାତୀକୁ ଡର ନା ବିଷଧର ସାପକୁ । ମଣିଷଖିଆ ବାଘକୁ ବି ଡରେନି ଏହି ମୋଗଲି ।

vlcsnap-2018-01-14-21h12m20s941ଜଙ୍ଗଲ୍ ଜଙ୍ଗଲ୍ ପତା ଚଲା ହେ । ଜଙ୍ଗଲ ବୁକର ଏହି ଲୋକପ୍ରିୟ ଗୀତର ସ୍ୱରକୁ ଆଖି ବୁଜି ଶୁଣିଲେ, ଆମ ମନରେ ଜଣେ ମଣିଷ, କିପରି ଜଙ୍ଗଲର ପଶୁ ପକ୍ଷୀଙ୍କ ବନ୍ଧୁ ପାଲଟି ଯାଇଛି, ତାହାର ଛବି ଆଙ୍କି ହୋଇଯାଏ । ହେଲେ ଆଜି ଆମେ ରିଲ୍ ନୁହେଁ ରିଏଲ୍ ଲାଇଫର ଜଣେ ମୋଗଲି ସଂପର୍କରେ କହୁଛୁ ।

ମୟୂରଭଂଜର ମୋଗଲି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ । ମୟୂରଭଂଜ ଜିଲ୍ଲା ନୂଆଗାଁର ବାସିନ୍ଦା । କିନ୍ତୁ ସାଧାରଣ ଲୋକଙ୍କ ଠାରୁ ଟିକିଏ ଭିନ୍ନ । ସାଧାରଣ ମଣିଷ ଯେତେବେଳେ ଜଙ୍ଗଲୀ ଜନ୍ତୁଙ୍କୁ ଦେଖିଲେ ଡରିଥାନ୍ତି ସେହିଭଳି ସ୍ଥିତିରେ କୃଷ୍ଣଚନ୍ଦ୍ର ବେଶ ଆରାମରେ ଏମାନଙ୍କ ସହ ସମୟ ବିତାଉଛନ୍ତି । ହାତୀ ସହ ଖେଳୁଛନ୍ତି, କଲରାପତିଆରା ବାଘ ସହ ଫଟୋ ଉଠାଉଛନ୍ତି । ବିଷଧର ସାପକୁ ମଧ୍ୟ ଡର ନାହିଁ । ନାଗ ସାପର ପଣାରେ ଚୁମ୍ବନ ଦେବାର ସାହସ ମଧ୍ୟ ରଖିଛନ୍ତି । ସତେ ଯେପରି ଜଙ୍ଗଲୀ ଜୀବ ସହ ତାଙ୍କର ରହିଛି ବହୁ ପୁରୁଣା ସଂପର୍କ ।

ଅହିରାଜ ସାପକୁ ଉଦ୍ଧାର କରି ପାଣି ପିଆଇବାର ଦମ୍ ମଧ୍ୟ ରଖିଛନ୍ତି କୃଷ୍ଣଚନ୍ଦ୍ର । ୫୦୦୦ରୁ ଅଧିକ ସାପକୁ ଉଦ୍ଧାର କରି ସେ ଜଙ୍ଗଲରେ ଛାଡିଛନ୍ତି । ପିଲାଟି ବେଳୁ ଜଙ୍ଗଲୀ ଜୀବଙ୍କୁ ଭଲ ପାଆନ୍ତି ଏବଂ ସେମାନଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି । ସାପ ଯେପରି ତାଙ୍କର ପୁରୁଣା ବନ୍ଧୁ । ଜଙ୍ଗଲୀ ଜୀବ ଜନ୍ତୁଙ୍କୁ ଉଦ୍ଧାର କରିବାକୁ ସବୁବେଳେ ଆଗେଇ ଆସନ୍ତୁ କୃଷ୍ଣଚନ୍ଦ୍ର । ସ୍ୱାମୀଙ୍କ ଏହି କାର୍ଯ୍ୟକୁ ପସନ୍ଦ କରିଥାନ୍ତି ତାଙ୍କ ପତ୍ନୀ । ହେଲେ ମନରେ ଭୟ ଥାଏ, କାଳେ କିଛି ଅଘଟଣ ଘଟିଯିବ । ଏସବୁ ଭିତରେ ମଧ୍ୟ ଜଙ୍ଗଲ ପଶୁଙ୍କ ସହ ନିଆରା ସଂପର୍କ ବାନ୍ଧିଛନ୍ତି କୃଷ୍ଣଚନ୍ଦ୍ର । ଏବଂ ସମସ୍ତଙ୍କ ପାଇଁ ପାଲଟିଛନ୍ତି ମୟୂରଭଂଜର ମୋଗଲି ।