ପ୍ରାଚୀ ନଦୀ କୂଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ! ନିଆଳିରେ ମିଳିଲା ୪ହଜାର ବର୍ଷ ତଳର ହାତହତିଆର, ମାଟି ପାତ୍ର ଓ ଜୀବଜନ୍ତୁଙ୍କ ଅସ୍ଥି

119

କନକ ବ୍ୟୁରୋ : ପ୍ରାଚୀ ନଦୀ କୂଳରେ ଥିବା ପୂରାତନ ସଭ୍ୟତାର ସୁରାଗ ପାଇଛନ୍ତି ବିଜ୍ଞାନୀ । କଟକ ଜିଲ୍ଲା ନିଆଳି ଅଂଚଳର ଭାରତୀ ହୁଡା ନିକଟରେ ଚାଳିଛି ଖନନ । ଏଠାରୁ ହଜାର ହଜାର ବର୍ଷ ତଳର ମାଟି ପାତ୍ର, ପଥରର କୁରାଢୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ, ମଣିଷଙ୍କ ହାଡ଼ର ସଂଧାନ ମିଳିଛି । ତାମ୍ରଯୁଗର ରହସ୍ୟ ଖୋଲିବା ନେଇ ଆଶା କରାଯାଉଛି ।

prachi civilization1ଖୋଳିବ ୪୦୦୦ ବର୍ଷ ତଳର ରହସ୍ୟ । ଏଥିପାଇଁ ପ୍ରାଚୀ ଉପତ୍ୟକାରେ ଚାଲିଛି ଖନନ କାର୍ଯ୍ୟ । କଟକ ଜିଲ୍ଲା ନିଆଳି ଅଂଚଳର ଭାରତୀ ହୁଡା ନିକଟରେ ପୁରୁଣା ଯୁଗର ସତ ଜାଣିବାକୁ ଉଦ୍ୟମ କରୁଛି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ । ହଜାର ହଜାର ବର୍ଷ ତଳର ମାଟି ପାତ୍ର, ପଥରର କୁରାଢୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ, ମଣିଷଙ୍କ ହାଡ଼ର ସଂଧ୍ୟାନ ମିଳିଛି । ଖନନ କାର୍ଯ୍ୟ ଯେତିକି ଆଗକୁ ଯାଉଛି, ତାମ୍ରପ୍ରସ୍ତର ଯୁଗର ରହସ୍ୟ ଖୋଲିବା ନେଇ ଉକ୍ରଣ୍ଠା ସେତିକି ବଢି ବଢି ଚାଲିଛି ।

ଅନୁମାନ କରାଯାଉଛି, ପ୍ରାୟ ୪୦୦୦ ବର୍ଷ ତଳେ ପ୍ରାଚୀ ନଦୀ ଅବବାହିକାରେ ଗଢି ଉଠିଥିଲା ଜନବସତି । ଏବେ ନଦୀ ଲୁପ୍ତ, ହେଲେ ଅବବାହିକାରେ ପୋତି ହୋଇ ରହିଛି ବହୁ ଗୁମର । ଯାହାର ଉଦଘାଟନ ହେଲେ ପୁରୁଣା ସଭ୍ୟତା କିପରି ଥିଲା, ଜୀବନ, ଜୀବିକା ଓ ପୁରୁଣା ସଂସ୍କୃତି କିପରି ଥିଲା, ତାହା ସାମ୍ନାକୁ ଆସିବ । ପ୍ରଥମେ ଏହି ଅଂଚଳର ଜଣେ ଗବେଷକ ଏ ନେଇ ସୂଚନା ଦେବା ପରେ ପୂରା ରହସ୍ୟ ଉନ୍ମୋଚନ କରିବା ପାଇଁ ଲାଗି ପଡିଛି ପ୍ରତ୍ନତତ୍ୱ ବିଭାଗ ।

ଆହୁରି ତିନି-ଚାରି ମାସ ଚାଲିବ ଖନନ କାର୍ଯ୍ୟ । ସମୁଦ୍ର ତଟରୁ ୨୫ କିଲୋମିଟର ଦୂର ନିଆଳିର ଏହି ଭାରତୀ ହୁଡା, ଇତିହାସ ପୃଷ୍ଠାର ବହୁ ଗୋପନ କଥାକୁ ଆଗକୁ ଆଣିବା ଆଶା ରହିଛି ।