ଜେଲରୁ ବାହାରିଲେ ୭ଶହ କୋଟି ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ! ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

31

କନକ ବ୍ୟୁରୋ : ଓଡିଶାର ହଜାର ହଜାର ଜମାକାରୀଙ୍କୁ ଲୁଟି ଥିବା ବଡ ଚିଟଫଣ୍ଡ ସଂସ୍ଥା ସିସୋର କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ମିଳିଲା ମୁକ୍ତି । ୭ଶହ କୋଟି ଟଙ୍କା ଠକେଇର ଏହି ମାଷ୍ଟରମାଇଣ୍ଡଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ତନାଘନା ଭିତରେ ପ୍ରଶାନ୍ତ ଦାସଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । କାରଣ ୨୦୧୩ରୁ ଜେଲର ଚାରିକାନ୍ଥ ଭିତରେ ଥିବା ଏହି ଚିଟଫଣ୍ଡ ଠକ ଏବେ ଜାମିନରେ ମୁକୁଳିଛନ୍ତି ।

ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କ ଟଙ୍କା ହଡପ କରିନେବା ପରେ ପୁଲିସ ଆଖିରେ ଧୂଳି ଦେଇ ଗାୟବ ହୋଇଯାଇଥିଲେ ପ୍ରଶାନ୍ତ ଦାସ । ଆଉ ଅନେକ ଦିନର ଛକାପଂଝା ପରେ ତାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଂଚ । ସିବିଆଇ ତଦନ୍ତ ବେଳେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପ୍ରଶାନ୍ତ ଦାସଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା । ସିସୋର ସହ ସଂପର୍କ ରଖିଥିବା ଅନେକ ପ୍ରଭାବଶାଳୀ ବ୍ୟକ୍ତିମଧ୍ୟ ସିବିଆଇ ସ୍କାନରକୁ ଆସିଥିଲେ । ଏବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା କେମିତି ଫେରି ପାଇବେ ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ବେଲ୍ରେ ବାହାରକୁ ଆସିଛନ୍ତି ପ୍ରଶାନ୍ତ ଦାସ । ପୂର୍ବରୁ ୨୦୧୭ ଅଗଷ୍ଟ ମାସରେ କେତେକ ମାମଲାରେ ସର୍ତମୂଳକ ଜାମିନ ମିଳିଥିଲା । କିନ୍ତୁ ଅନ୍ୟ ମାମଲାରେ ଜାମିନ ମିଳି ନଥିଲା ।