ବେଲଜିୟମରେ ଓଡ଼ିଶା ବିଶ୍ବକପକୁ ସ୍ବାଗତ: ଦେଶର ରାଣୀ, ରାଜା ସ୍ବାଗତ କରିବା ସହ ଖେଳାଳିଙ୍କ ସହିତ ଉଠାଇଲେ ଫଟୋ

317

କନକ ବ୍ୟୁରୋ: ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଜିତିଥିବା ବେଲଜିୟମ୍ ଦଳ ମଙ୍ଗଳବାର ନିଜ ଦେଶରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଧନା ପାଇଛନ୍ତି। ରାଜଧାନୀ ବ୍ରସେଲ୍ସରେ ଲକ୍ଷ ଲକ୍ଷ ଜନତା ବେଲଜିୟମ୍ ଦଳକୁ ସ୍ବାଗତ କରିବା ସହିତ ନାଚ ଗୀତରେ କୁଦି ଉଠିଥିଲେ। ଦେଶର ରାଣୀ ମାଥିଲଦେ, ରାଜା ଫିଲିପ୍ ସ୍ବାଗତ କରିବା ସହିତ ଖେଳାଳିଙ୍କ ସହିତ ଫଟୋ ଉଠାଇଥିଲେ।

ନେଦରଲାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ହକିରେ ଚାମ୍ପିୟନ ହୋଇଛି ବେଲଜିୟମ୍ । ବିଶ୍ୱ ହକି ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ ନିଷ୍ପତି ପେନାଲ୍ଟି ସୁଟ୍ ଆଉଟରେ ହୋଇଛି । ବେଲଜିୟମ, ନେଦରଲାଣ୍ଡକୁ ୩-୨ ଗୋଲରେ ହରାଇ ପ୍ରଥମ ଥର ପାଇଁ ଧରିଛି ବିଶ୍ୱକପ୍ ଟ୍ରଫି ।

ଏହି ରୋମାଂଚକ ମ୍ୟାଚରେ ନିର୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ । ଫଳରେ ପେନାଲ୍ଟି ସୁଟ୍ ଆଉଟ ନିଷ୍ପତି ନିଆଯାଇଥିଲା । ଏଥିରେ ୨-୨ ଗୋଲରେ ମ୍ୟାଚ୍ ଟାଇ ରହିଥିଲା । ଶେଷରେ ସଡନ ଡେଥରେ ବିଜୟୀ ହୋଇଥିଲା ବେଲଜିୟମ । ଏହି ହୃତ୍ ସ୍ପନ୍ଦନ ବଢାଇବା ଭଳି ମ୍ୟାଚ୍କୁ ୩-୨ ଗୋଲରେ ଜିତି ନେଇ ଇତିହାସ ରଚିଛି ବେଲଜିୟମ୍ ।