ଓଡ଼ିଶାରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ : ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ୨୦୩୦, ଦକ୍ଷିଣ କୋରିଆର ପୁଞ୍ଜିନିବେଶ ପ୍ରସ୍ତାବକୁ ସ୍ୱାଗତ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ୨୦୩୦ । ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ନିବେଶକୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଓଡିଶାରେ ପୁଣି ପୁଞ୍ଜିନିବେଶ କରିବ କୋରିଆ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଓଡ଼ିଶାରେ ଦକ୍ଷିଣ କୋରିଆର ପୁଞ୍ଜିନିବେଶ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଓ ଦକ୍ଷିଣ କୋରିଆର ମିଳିତ ଉଦ୍ୟମରେ ରାଜ୍ୟରେ ଅଧିକରୁ ଅଧିକ ନିବେଶ ସମ୍ଭବ ହୋଇପାରିବ । ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ବିଫଳ ହେବା ପରେ ଓଡିଶାରୁ ମୁହଁ ଫେରାଇ ନେଇଥିଲା କୋରିଆ । ପୋସ୍କୋ ସମୟର ଅଭିଜ୍ଞତାକୁ ଆଧାର କରି ପୁଣି ଓଡିଶାରେ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଇଛିି କୋରିଆ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ବିକାଶ ପାଇଁ ସର୍ବଦା ଚେଷ୍ଟିତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଭବିଷ୍ୟତ ଚିନ୍ତା କରି ବିଭିନ୍ନ ସମୟରେ ବିଦେଶୀ କମ୍ପାନୀଙ୍କୁ ରାଜ୍ୟରେ ନିବେଶ କରିବା ପାଇଁ ଉତ୍ସାହିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ମାତ୍ରାରେ ଖଣିଜ ସମ୍ପଦ ଗଚ୍ଛିତ ରହିଛି । ବାଣିଜ୍ୟ, ନିବେଶ ଓ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନିବେଶକ ସଂଖ୍ୟା ବଢ଼ିଲେ ରାଜ୍ୟର ବକାଶ ଅଧିକ ଗତିଶୀଳ ହୋପାରିବ । ଆଉ ଏଥିପାଇଁ ଖୁବ ଶୀଘ୍ର ରାଜ୍ୟରେ ଘୋଷଣା ହେବ ଭିଜନ୍ ୨୦୩୦ । ରାଜ୍ୟରେ ଉତ୍ପାଦିତ ଧାତୁର ୫୦ ପ୍ରତିଶତ ରାଜ୍ୟରେ ହିଁ ବିନିଯୋଗ ହେବ । କୋରିଆର ବାଣିଜ୍ୟିକ ଟିମ୍ ସହ ଆଲୋଚନ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଭୟ ପକ୍ଷର ଆଲୋଚନା ପରେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହୀ ହୋଇଛି ଦକ୍ଷିଣ କୋରିଆ । ବୈଦୁତିକ, ପେଟ୍ରୋଲିୟମ୍, ବୟନ ଶିଳ୍ପ, ପର୍ଯ୍ୟଟନ, ରସାୟନ, ଧାତବ ଓ ଖାଦ୍ୟ ପ୍ରକିୟାକରଣ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିିଛନ୍ତି । ଏହା ବ୍ୟତୀତ ଓଡ଼ିଶାର ପାଣିପାଗ ଓ ପରିବେଶକୁ ଦେଖି କୃଷି , ମତ୍ସ୍ୟସମ୍ପଦ, ହର୍ଟିକଲଚର, ଇସ୍ପାତ ,ସେବା ଓ ଭିତ୍ତିଭୂମି ବିକାଶରେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଦିଗରେ ଆଗ୍ରହୀ ଦକ୍ଷିଣ କୋରିଆ । ତେବେ ଏସବୁ ପାଇଁ ଭିତ୍ତିଭୂମି, ଶିଳ୍ପ ପରିବେଶ ଓ ମାନବ ସମ୍ବଳ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨୦୦ ମିଲିୟନ୍ ୟୁଏସ୍ ଡଲାର ବିନିମୟରେ ଓଡ଼ିଶାରେ ଖୁବଶୀଘ୍ର ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ । ୧୫୦୦୦ ଲୋକଙ୍କୁ ଆଠୋଟି ଷ୍ଟ୍ରିମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିିଆଯିବ ବୋଲି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ।
କୋରିଆର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବା ପରେ ସମ୍ପର୍କ ମଜଭୁତ ହେବା ସହ ଅଧିକ ନିବେଶର ସୁଯୋଗ ରହିଛି । ଓଡ଼ିଶାରେ ବିଦେଶୀ ନିବେଶ ବୃଦ୍ଧି ପାଇବା ଦ୍ୱାରା ରାଜ୍ୟର ବିକାଶ ହେବାସହ ଯୁବଗୋଷ୍ଠୀଙ୍କୁ ଚାକିରି ସୁଯୋଗ ମଧ୍ୟ ମିଳିପାରିବ । କର୍ମସଂସ୍ଥାନର ସନ୍ଧାନ ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ ପଡ଼ିବ ନାହିଁ । ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୁର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସମୟରେ ଦେଶ ବାହାର କମ୍ପାନୀମାନେ ଆଗ୍ରହ ଦେଖାଉଛନ୍ତି । ଏହାଦ୍ୱାରା ରାଜ୍ୟ ଲାଭବାନ ହେବାସହ ଜନତା ମଧ୍ୟ ଲାଭବାନ ହୋଇପାରିବେ ।