ଚାଷୀଙ୍କ ଠାରୁ ନଡା କିଣିବ ଏନଟିପିସି ! ଦିଲ୍ଲୀ ପ୍ରଦୁଷଣକୁ ନେଇ କେନ୍ଦ୍ରସରକାରଙ୍କ ବଡ ନିଷ୍ପତ୍ତି

56

କନକ ବ୍ୟୁରୋ : ଏନଟିପିସି ଚାଷୀଙ୍କଠାରୁ କିଣିବ ନଡାପାଳ । କୃଷକମାନେ ଫସଲ ଅମଳ ପରେ କ୍ଷେତରେ ଅବଶିଷ୍ଟ ନଡାପାଳ ଜାଳି ଦେଉଥିବାରୁ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ଏହି ନଡାପାଳକୁ କୃଷକଙ୍କଠାରୁ ଟନ ପିଛା ୫ହଜାର ୫ଶହ ଟଙ୍କାରେ କ୍ରୟ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି । ନଡାପାଳ କିଣିବା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ ।

ଏନଟିପିସି ଚାଷୀଙ୍କଠାରୁ ନଡାପାଳ ସଂଗ୍ରହ କରିବା ପରେ ଏହାକୁ କୋଇଲା ସହିତ ମିଶାଇ ଇନ୍ଧନ ଭାବେ ବ୍ୟବହାର କରିବ । ଗୋଟିଏ ଏକର କ୍ଷେତରୁ ପ୍ରାୟ ୨ଟନ ନଡାପାଳ ବାହାରିଥାଏ । ସରକାରଙ୍କ ଏହି ଯୋଜାନରେ କୃଷକ ମାନେ ବେଶ ଲାଭ ପାଇପାରିବେ ଏବଂ ପ୍ରଦୂଷଣ ରୋକିବା ଦିଗରେ ମଧ୍ୟ ଏହା ସହାୟକ ହେବ । ତେବେ କୃଷକଙ୍କଠାରୁ ଚଳିତ ଋତୁରେ ଯେଉଁ ନଡାପାଳ କିଣାଯିବ ତାହା ତକ୍ରାଳ ବ୍ୟବହାର ହୋଇପାରିବ ନାହିଁ । ତେବେ ନଡାପାଳକୁ ଜାଳେଣି ଭାବେ ବ୍ୟବହାର ଦ୍ୱାରା ଏନଟିପିସି ପାଇଁ ମଧ୍ୟ କୌଣସି ସମସ୍ୟା ହେବ ନାହିଁ ବୋଲି ଜଣାପଡିଛି ।