ଆମେରିକା-ଉତ୍ତର କୋରିଆ ଉତ୍ତେଜନାରେ ନୂଆମୋଡ ! ଆମେରିକା ପକ୍ଷରୁ ଆଲୋଚନା ପାଇଁ ଇସାରା

36

କନକ ବ୍ୟୁରୋ : ଗୋଟିଏ ପଟେ ସୁପର ପାୱାର ଆମେରିକାର କଡ଼ା ଚେତାବନୀ, ଅନ୍ୟପଟେ ପରମାଣୁ ବୋମା ପରୀକ୍ଷଣ କରି ଉତ୍ତର କୋରିଆର ରଣହୁଙ୍କାର । ସ୍ଥିତି ଏପରି ହୋଇଥିଲା ଯେ କୌଣସି ମୁହୂର୍ତ୍ତରେ ଏକ ବଡ଼ ଯୁଦ୍ଧ ଆଡକୁ ମୁହାଁଉଥିଲେ ଦୁଇ ଦେଶ । ତେବେ ବନ୍ଦ ପଡିଥିବା ଡିପ୍ଲୋମାସିକୁ ପୁଣି ଥରେ ଆରମ୍ଭ କରିବାକୁ ଇସାରା ଦେଇଛି ଆମେରିକା । ଉତ୍ତର କୋରିଆ ଆଲୋଚନା ପାଇଁ ରାଜି ହେଲେ କୁଟନୈତିକ ସ୍ତରରେ କଥାବାର୍ତା ହୋଇପାରିବ କହିଛି ଆମେରିକା ।

ବେଜିଂ ଗସ୍ତରେ ଥିବା ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍ କହିଛନ୍ତି, କୋରିଆ ଉପତ୍ୟକାରେ ଶାନ୍ତି ପାଇଁ ନର୍ଥ କୋରିଆର ମିଜାଇଲ ପରୀକ୍ଷଣ ବନ୍ଦ କରିବା ପ୍ରସଙ୍ଗରେ ଆମେରିକା ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି । ସେ କହିଛନ୍ତି, ପ୍ୟାଓଙ୍ଗୟାଙ୍ଗଙ୍କ ସହ କଥାବାର୍ତା ପାଇଁ ଚୀନର ସହାୟତା ଆବଶ୍ୟକ ନାହିଁ । ଉତ୍ତର କୋରିଆ ସହ କଥା ହେବା ପାଇଁ ଆମେରିକା ନିକଟରେ ନିଜସ୍ୱ ମାଧ୍ୟମ ରହିଛି ।

ସେପଟେ ନର୍ଥ କୋରିଆକୁ ପରମାଣୁ ଶକ୍ତି ରାଷ୍ଟ୍ର ଭାବେ ସ୍ୱୀକାର କରାଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ । ତେବେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନଙ୍କୁ ଶାସନ ଗାଦିରୁ ହଟାଇବା ଉଦ୍ଦେଶ୍ୟ ଆମେରିକାର ନାହିଁ ବୋଲି ଟିଲରସନ୍ ସ୍ପଷ୍ଟ କରିଛନ୍ତି । ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍ ଏବଂ ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ।

କିଛି ଦିନ ହେଲା ଡୋନାଲ୍ଡ ଟ୍ରମ୍ପ, ଜଙ୍ଗ ଉନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚରମସୀମାରେ ପହଁଚିଥିଲା । ଜଙ୍ଗ ଉନଙ୍କୁ ରକେଟ ମ୍ୟାନ କହି ଆକ୍ଷେପ କରିବା ସହ ଉତ୍ତର କୋରିଆକୁ ସମୂଳେ ଧ୍ୱଂସ କରିଦେବାକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ସେହିପରି ଟ୍ରମ୍ପଙ୍କ ଧମକକୁ ବୃଦ୍ଧ ମଣିଷର ବିଳାପ କହି ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ବୋମା ଓ ମିଜାଇଲ ପରୀକ୍ଷଣ କରିଚାଲିଥିଲେ ଜଙ୍ଗ୍ ଉନ୍ । ତେବେ ଡିପ୍ଲୋମାସି ପାଇଁ ଆମେରିକା ଇସାରା ଦେବା ପରେ ଜଙ୍ଗ୍ ଉନ୍ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନିର୍ଭର କରୁଛି କୋରିଆ ଉପତ୍ୟକାର ପରିସ୍ଥିତି ।