ଏମିତି ବି ଆସେ ମୃତ୍ୟୁ ! ଚଢୁଥିବା ବେଳେ ଟାଣି ନେଇଗଲା ଟ୍ରେନ୍

38

କନକ ବ୍ୟୁରୋ : ମୃତ୍ୟୁ ଏମିତି ବି ଆସେ । ଜଗନ୍ନାଥ ଦର୍ଶନ ପାଇଁ ଢେଙ୍କାନାଳ ହିନ୍ଦୋଳରୁ ଆସିଥିଲେ । ହେଲେ ପୁରୀ ପାଇଁ ଟ୍ରେନ ଚଢିବା ଆଗରୁ ସବୁକିଛି ଶେଷ ହୋଇଯାଇଥିଲା । ଟ୍ରେନ ଧକ୍କାରେ ୧୩ ମାସର କଅଁଳା ଛୁଆ ସହ ମହିଳାଙ୍କ ମୃତ୍ୟୁ ଘଟିଛି । ରେଳ ଲାଇନ ପାରି ହେଉଥିବା ବେଳେ ଟ୍ରେନରେ ଲାଗି ଗଲା ମହିଳାଙ୍କ ଶାଢୀ ଏବଂ ଘଟିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପଟିଆ ଷ୍ଟେସନରେ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଆସିଥିଲେ ଅଶାନ୍ତି ଦାସଙ୍କ ପରିବାର । ପୁରୀ ଯିବା ପାଇଁ ପଟିଆ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ସମସ୍ତେ । ଟିକେଟ ବି କଟା ସରିଥିଲା । କିନ୍ତୁ ଟ୍ରେନକୁ ଚଢିବାକୁ ଗଲା ବେଳେ ଘଟିଲା ଅଘଟଣ । ଦୁଇଟି ଟ୍ରେନ ମଝିରେ ଫଶି ଯାଇଥିଲେ ଜଣେ ମହିଳା । କୋଳରେ ଥିଲା ୧୩ ମାସର ନାତୁଣୀ ।

ପରିବାରର ପାଂଚ ଜଣଙ୍କ ସହ ୧୩ ମାସର ନାତୁଣୀକୁ ନେଇ ଆରପଟେ ଠିଆ ହୋଇଥିବା ପୁରୀ ଟ୍ରେନକୁ ଚଢିବାକୁ ଯାଉଥିଲେ ଅଶାନ୍ତି ଦାସ । ଅନ୍ୟମାନେ ଚଢି ଯାଇଥିଲେ । ତରତର ହୋଇ ନାତୁଣିକୁ ଧରି ଟ୍ରାକ ପାରି ହେଉଥିଲେ ଅଶାନ୍ତି । ଠିକ୍ ଏତିକି ବେଳେ ଏପାଖ ଟ୍ରାକରେ ମାଡିଆସିଲା ଗୌହ୍ୱାଟି-ବାଙ୍ଗାଲୋର ଏକ୍ସପ୍ରେସ୍ । ଟ୍ରାକ ପାରି ହୋଇସାରିଥିଲେ ବି ତାଙ୍କର ଉଡୁଥିବା ଶାଢୀ ଲାଗିଗଲା ଟ୍ରେନରେ । ଟାଣି ହୋଇଗଲେ ମହିଳା ଜଣକ ଆଉ ଛିଟିକି ପଡିଲା କଅଁଲା ଶିଶୁ । ଆଉ ମୂହୁର୍ତ୍ତକ ମଧ୍ୟରେ ହୋଇଗଲା ସବୁ କିଛି ଶେଷ । ଅଧାରେ ରହିଲା ବଡଠାକୁର ଦର୍ଶନ ।