ଯୁଦ୍ଧ ପାଇଁ ଉତ୍ତର କୋରିଆର ଚୂଡ଼ାନ୍ତ ପ୍ରସ୍ତୁତି ! ଜନସାଧାରଣଙ୍କୁ ସତର୍କ ରଖାଯିବା ପାଇଁ ସୁରକ୍ଷା ଡ୍ରିଲ୍ ଆରମ୍ଭ
କନକ ବ୍ୟୁରୋ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ କରିଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଉତ୍ତର କୋରିଆର ଜନସାଧାରଣଙ୍କୁ ପରମାଣୁ ଯୁଦ୍ଧ ପାଇଁ ସତର୍କ ରଖାଯିବା ସହ ଏ ବାବଦରେ ସୁରକ୍ଷା ଡ୍ରିଲ୍ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶୈଳୀରେ ବ୍ଲାକ୍ଆଉଟ୍ ଏବଂ ଲୋକଙ୍କୁ ତତ୍କାଳ ଖାଲି କରାଇବା ଡ୍ରିଲ୍ ଚାଲିଛି । ତେବେ ଜିପିଏସ୍ ଏବଂ ନାଭିଗେସନର ଯୁଗରେ ଏହା ଏକ ପୁରୁଣାପଦ୍ଧତି ହୋଇଥିବାରୁ ଯୁଦ୍ଧ ଆରମ୍ଭ ପୂର୍ବରୁ ଉତ୍ତର କୋରିଆ ବଡ଼ ଧରଣର ସାଇବର ଆକ୍ରମର ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ରାଜଧାନୀ ପୋଙ୍ଗୟାଙ୍ଗ୍କୁ ବାଦଦେଇ ଅନ୍ୟ ସମସ୍ତ ସହରାଞ୍ଚଳରେ ଏଭଳି ଡ୍ରିଲ୍ ଦେଖିବାକୁ ମିଳିଥିବାରୁ ଯୁଦ୍ଧ ନିମନ୍ତେ ଉତ୍ତର କୋରିଆ ସଂପୂର୍ଣ୍ଣ ତୟାର ହେଉଥିବା ସ୍ପଷ୍ଟ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତର କୋରିଆର ଏଭଳି ପଦକ୍ଷେପ ଦକ୍ଷିଣ କୋରିଆ ଏବଂ ଜାପାନରେ ଆତଙ୍କ ସୃଷ୍ଟି କରିଛି । ଆମେରିକା ଉତ୍ତର କୋରିଆର ପ୍ରତିଟି ପଦକ୍ଷେପ ଉପରେ ଅହରହ ନଜର ରଖିଛି । ଆମେରିକାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ମହାଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକ ସମ୍ମୁଖରେ ଉତ୍ତର କୋରିଆ କୌଣସି କୌଶଳ କିମ୍ବା ପ୍ରତିରୋଧ ଅଧିକ ସମୟ ତିଷ୍ଠ ରହିପାରିବ ନାହିଁ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି । ସମ୍ପ୍ରତି ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଆମେରିକା ବାୟୁସେନାକୁ ସର୍ବାଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜାତିସଂଘରେ ଟ୍ରମ୍ପ୍ ତାଙ୍କ ପ୍ରଥମ ଉଦ୍ବୋଧନରେ ଉତ୍ତର କୋରିଆକୁ ମୂଳପୋଛ କରିଦିଆଯିବ ବୋଲି ଧମକ ଦେବାପରେ ଏହାକୁ ଉତ୍ତର କୋରିଆ ଗମ୍ଭୀରତାର ସହ ନେଇଛି । ଆମେରିକାର ବୋମାବର୍ଷୀ ବିମାନ କୋରିଆ ଆକାଶରେ ଉଡ଼ିବା ପରେ ଏହାକୁ ଯୁଦ୍ଧର ଆରମ୍ଭ ଭାବେ ଉତ୍ତର କୋରିଆ ଗ୍ରହଣ କରିଛି । ଉତ୍ତର କୋରିଆକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ୍ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆମେରିକା ଏହି ମାମଲାରେ ଆଉ ଚୀନ୍କୁ ବିଶ୍ୱାସକୁ ନେଉନାହିଁ । ଯୁଦ୍ଧ ଉତ୍ତେଜନା ନେଇ ଆମେରିକା ଓ ଉତ୍ତର କୋରିଆ ପରସ୍ପରକୁ ଦୋଷାରୋପ କରି ଚାଲିଥିବା ବେଳେ ରୁଷ୍ ମଧ୍ୟ ଉତ୍ତେଜନା ପ୍ରଶମନ ଦିଗରେ ଆଗ୍ରହ ପ୍ରକାଶ କରୁନାହିଁ ।
ଏବେ କୋରିଆ ଉପଦ୍ୱୀପରେ ଆମେରିକାର ଯୁଦ୍ଧପୋତ ପଇଁତରା ମାରୁଛି ଏବଂ ନିର୍ଦ୍ଦେଶ ମିଳିବା ମାତ୍ରେ ଉତ୍ତର କୋରିଆ ଉପରେ ପ୍ରଚଣ୍ଡ କ୍ଷେପଣାସ୍ତ୍ର ଆକ୍ରମଣ ହେବ ବୋଲି ଜଣାପଡ଼ିଛି । ଆମେରିକା ବାୟୁସେନାର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ବି-୫୨ କୋରିଆ ଉପଦ୍ୱୀପରେ ମହଜୁଦ ରହିଛି । କ୍ଷେପଣାସ୍ତ୍ର ବିଧ୍ୱଂସୀ ଥାଡ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଉଭୟ ଦକ୍ଷିଣ କୋରିଆ ଏବଂ ଜାପାନ ମୁତୟନ କରିଛନ୍ତି । ଉତ୍ତର କୋରିଆ ଭଳି ଦାୟିତ୍ୱହୀନ ଏବଂ ଅବାଧ୍ୟ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ପର୍ଯ୍ୟାପ୍ତ ଭାବେ ରହିଥିବାରୁ ଜାତିସଂଘର ଉଦବେଗ ମଧ୍ୟ ବଢ଼ିଯାଇଛି ।