କନକ ବ୍ୟୁରୋ : ଯନ୍ତାରେ କଲରାପତରିଆ । ବନ ବିଭାଗର ଚକ୍ରବ୍ୟୁହରେ ଫଶିଯାଇଛି ବାଘ । ନୂଆପଡା ହଳଦୀ ଜଙ୍ଗଲରୁ ଆଜି ପୁଣି ଏକ ବାଘ ଧରାପଡିଛି । ବନବିଭାଗ ବିଛାଇଥିବା ଯନ୍ତାରେ ପଡିଛି ଏହି କଲରାପତରିଆ ବାଘଟି । କିଛି ଦିନ ତଳେ ଗୋଟିଏ କଲରାପତରିଆ ବାଘ ଠିକ୍ ଏଭଳି ଭାବେ ବନବିଭାଗ ଯନ୍ତାରେ ପଡିଥିଲା । ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଛି । ହଳଦୀ ଜଙ୍ଗଲରୁ ସେହି ବାଘଟି ଧରାପଡିବା ପରେ ବି ସ୍ଥାନୀୟ ଅଂଚଳରେ ବାଘର ପାଦଚିହ୍ନ ଦେଖିଥିଲେ ଲୋକେ । ସେହି ଅଂଚଳରେ ଆହୁରି କିଛି ବାଘ ରହିଥିବା ଲୋକେ ସନ୍ଦେହ କରିଥିଲେ । ଏହାପରେ ବନବିଭାଗ ବାଘ ଧରିବାକୁ ଗାଁରେ ଯନ୍ତା ବସାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ବାଘକୁ ଧରିବା ପାଇଁ ବନବିଭାଗ ଆରମ୍ଭ କରିଥିଲା ଅପରେସନ ଟାଇଗର । ପ୍ରଥମଥର ପାଇଁ ଜଙ୍ଗଲରେ ଏକ ଯନ୍ତାର ବ୍ୟବସ୍ଥା କରାଯାଇ ସେଥିରେ କୁକୁଡ଼ା, ଛେଳି ରଖାଯାଇଥିଲା। ହେଲେ ବାଘ ଯନ୍ତାରେ ପଡ଼ି ନଥିଲା। ବିଭାଗ ପକ୍ଷରୁ ୬ଟି ସିସି କ୍ୟାମେରା ଲଗାଯାଇଥିଲା। ପରେ ୮ଫୁଟ ଉଚ୍ଚର ୩ଟି ସ୍ୱଂୟଚାଳିତ ଯନ୍ତା ଭୁବନେଶ୍ୱରରୁ ଅଣାଯାଇ ଲଗା ଯାଇଥିଲା।
କିଛି ଦିନ ତଳେ ସେହି ଅଂଚଳରେ ମା କୋଳରୁ ୪ ବର୍ଷର ଶିଶୁକୁ ଟାଣିନେଇଥିଲା ମଣିଷଖିଆ ବାଘ । ଏହାପରେ ବାଘ ଧରିବାକୁ ଗାଁ ଲୋକେ ଦିନରାତି ଜଗି ରହିଥିଲେ । ତେବେ ବାଘ ଧରାଦେଇନଥିଲା । ପରେ ବାଘ ଧରିବାକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଯନ୍ତା ନେଇ ବସାଇଥିଲା ବନବିଭାଗ । ଏହାପରେ ବାଘ ଆପେ ଆପେ ସେହି ଯନ୍ତାରେ ପଡିଥିଲା । ଆଜି ପୁଣି ଏକ ବାଘ ଧରାପଡିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଭୟରେ ପୁଣି ତାଟି କବାଟ ପକାଇ ଘରେ ଅଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଗତ ମଇ ୨୬ ତାରିଖ ରାତିରେ ହଳଦୀ ଗାଁର ହୀରାଲାଲ ପାଣ୍ଡେଙ୍କ ୪ ବର୍ଷର ପୁଅ ଛଗନଲାଲ ପାଣ୍ଡେକୁ ମା’ କୋଳରେ ଶୋଇଥିବା ବେଳେ କଲରାପତରିଆ ବାଘ ଉଠାଇ ନେଇ ଖାଇ ଯାଇଥିଲା। ଗାଁ ନିକଟ ଜଙ୍ଗଲରୁ ଛଗନର ଖପୁରି ଓ କିଛି ହାଡ଼ ମିଳିଥିଲା। ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ମଇ ୨୮ ତାରିଖ ଦିନ ଡିଏଫଓ ଗଦାଧର ପାତ୍ର ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଛଗନର ପରିବାରବର୍ଗଙ୍କୁ ଭେଟିଥିଲେ। ପୁଣି ଜୁନ ୧୦ ତାରିଖ ରାତିରେ ଏହି ଗାଁରେ ଶୋଇଥିବା ଅବସ୍ଥାରେ ଉଭୟ ଆଈ ଧନବାଇ ପାଣ୍ଡେ ଓ ନାତୁଣୀ ଚାନ୍ଦିନୀ ପାଣ୍ଡେଙ୍କ ଗୋଡ଼କୁ ପଞ୍ଝା ମାରି ଆଘାତ କରିଥିଲା।
ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ବାଘ ଯନ୍ତାରେ ପଡ଼ିବା ପରେ ବନ ବିଭାଗ କର୍ମଚାରୀମାନେ ଆଶ୍ୱସ୍ତ ହୋଇଥିଲେ। ଉକ୍ତ ବାଘଟିକୁ ତା’ ପରଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଚିଡ଼ିଆଖାନାକୁ ନିଆ ଯାଇଥିଲା। ଏହା ସତ୍ତ୍ୱେ ଲୋକଙ୍କ ମନରୁ ଭୟ ଦୂର ହୋଇ ନଥିଲା। ଆଉ ଏକ ବାଘ ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ଲୋକେ କହୁଥିଲେ। ଫଳରେ ନିୟମିତ ଭାବେ ଯନ୍ତା ବସାଯାଇ ନିରୀକ୍ଷଣ କରାଯାଉଥିଲା। ସୋମବାର ରାତିରେ ହଠାତ୍ ଆଉ ଏକ କଲରାପତରିଆ ବାଘ ଏହି ଯନ୍ତାରେ ପଡ଼ି ଯାଇଥିଲା। ଏହା ପରେ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଥିବା ଲକ୍ଷ୍ୟ କରାଯାଇଛି।