ସମ୍ବିଧାନ ବେଞ୍ଚକୁ ଗଲା ‘ଆଧାର’ ! ନଭେମ୍ବରରେ ହେବ ଶୁଣାଣି

24

କନକ ବ୍ୟୁରୋ : ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁବିଧା ନେବାପାଇଁ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇ ପାରିବ କି ନାହିଁ ? ଏହାର ବିଚାର କରିବେ ୫ ଜଣିଆ ସମ୍ବିଧାନ ପୀଠ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତାକାଲି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ନଭେମ୍ବର ଶେଷ ସପ୍ତାହରୁ ଏହାର ଶୁଣାଣି ଆରମ୍ଭ ହେବ ।

ଆଧାର ସଂଯୋଗକୁ ଚାଲେଞ୍ଜ କରି ପିଟିସନ ଦାଖଲ କରିଥିବା ଆବେଦନକାରୀମାନେ ମାମଲାର ତୁରନ୍ତ ବିଚାର କରିବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ଆଧାର ସଂଯୋଗ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ଆଜି କୋର୍ଟରେ ସତ୍ୟପାଠ ଦାଖଲ କରି ଆଧାରକୁ ନେଇ ଯେଉଁସବୁ ଅଭିଯୋଗ ଆସିଛି ତାହା ଅମୂଳକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ସୁପ୍ରିମ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥାରେ ସଂସଦର ନିଷ୍ପତ୍ତିକୁ ରାଜ୍ୟ ସରକାର ଚାଲେଞ୍ଜ କରିପାରିବେ ନାହିଁ । ଆଧାର ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ପିଟିସନ ପାଇଁ ପଶ୍ଚିମ ବଙ୍ଗ ସରକାରର ସମାଲୋଚନା କରି କୋର୍ଟ ପ୍ରଶ୍ନ କରିଥିଲେ, ସଂସଦର ନିଷ୍ପତ୍ତିକୁ ରାଜ୍ୟ କଣ ଚାଲେଞ୍ଜ କରିପାରିବ ? ଆଧାର ଏଭଳି ଏକ ମାମଲା ଯାହାର ବିଚାର କରାଯାଇ ପାରିବ । କିନ୍ତୁ ଏହାକୁ ରାଜ୍ୟ କିପରି ଚାଲେଞ୍ଜ କରିବ ? ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବ୍ୟକ୍ତିଗତ ଭାବେ ଏହାକୁ ଚାଲେଞ୍ଜ କରିପାରିବେ । ଖଣ୍ଡପୀଠ କହିଥିଲେ ଯେ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ଚାଲେଞ୍ଜ କରିପାରିବେ ନାହିଁ । ତେବେ ଜଣେ ବ୍ୟକ୍ତି ଚାହିଁଲେ ଏହାକୁ ଚାଲେଞ୍ଜ କରିପାରିବେ ।

ଆଧାରକୁ ଚାଲେଞ୍ଜ କରି ପିଟିସନ ଦାଖଲ କରିଥିବା ଆବେଦନକାରୀମାନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟaadhaar ଗୋପାଳ ସୁବ୍ରମଣ୍ୟମ ଏବଂ ଶ୍ୟାମ ଦିଓ୍ଵାନ ପ୍ରତିନିଧିତ୍ୱ କରିଥିଲେ । ମାମଲାର ତୁରନ୍ତ ଶୁଣାଣି କରିବାକୁ ସେମାନେ ଦାବି କରିଥିଲେ। ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ରର ନିଷ୍ପତ୍ତି ବେଆଇନ ଓ ଅସାମ୍ବିଧାନିକ ବୋଲି ଯୁକ୍ତି ଦର୍ଶାଇଥିଲେ । ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ଲାଗି ଆଧାରକୁ ବାଧ୍ୟ କରିବା ପାଇଁ ସିବିଏସ୍‌ଇର ଉଦ୍ୟମ ନେଇ ମଧ୍ୟ ସେମାନେ ଆପତ୍ତି ଜଣାଇଥିଲେ ।

ତେବେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଥିଲେ ଯେ ଆଧାରକୁ ନେଇ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେ କହିଥିଲେ ଯେ ଆଧାରର ବିଭିନ୍ନ ଯୋଜନା ସହିତ ଯୋଡ଼ିବା ପାଇଁ ଶେଷ ତାରିଖ ୩୧ ଡିସେମ୍ବରରୁ ବଢ଼ାଇ ୩୧ ମାର୍ଚ୍ଚ କରାଯାଇଛି । ତେବେ ଯେଉଁମାନଙ୍କ ପାଖରେ ଆଧାର ଉପଲବ୍ଧ ଅଛି ସେମାନଙ୍କ ପାଇଁ ଶେଷ ତାରିଖ ୩୧ ଡିସେମ୍ବର ହିଁ ରହିବ । ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଏବଂ ଦେଶର ସମସ୍ତ ମୋବାଇଲ କମ୍ପାନିକୁ ନୋଟିସ୍‌ ଜାରି କରିଛନ୍ତି । ଏ ନେଇ ସମସ୍ତ ପକ୍ଷଙ୍କ ଜବାବ ମିଳିବା ପରେ ନଭେମ୍ବର ଶେଷ ସପ୍ତାହରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ସୁପ୍ରିମ କୋର୍ଟର ଏକ ୯ ଜଣିଆ ସମ୍ବିଧାନ ବେଞ୍ଚ ରାୟ ଦେଇଥିଲେ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତିର ଗୋପନୀୟତା ରକ୍ଷା କରିବା ହେଉଛି ମୌଳିକ ଅଧିକାର । ଆଧାରକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ କୋର୍ଟ ଏହି ରାୟ ଦେଇଥିଲେ । ତେବେ କଲ୍ୟାଣମୂଳକ ଯୋଜନା ସହିତ ଏହାକୁ ଯୋଡାଯିବା ଠିକ କି ନୁହେଁ ତାହା ୫ ଜଣିଆ ଖଣ୍ଡପୀଠ ବିଚାର କରିବ ।