କଙ୍ଗାରୁ ପରେ କିୱିକୁ କବଜା କରିବାକୁ ସୁଯୋଗ ! ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜିଠୁ ସୀମିତ ଓଭର ଶୃଙ୍ଖଳା

28

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ୨୦-୨୦ ଶୃଙ୍ଖଳା ନୂଆ ନିୟମରେ ଖେଳ ହୋଇଥିଲା । ହେଲେ ଆଜିଠାରୁ (ରବିବାର) ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଭାରତୀୟ କ୍ରିକେଟ୍ ଦଳ ପାଇଁ ନୂଆ ନିୟମରେ ପ୍ରଥମ ଦିନିକିଆ ଶୃଙ୍ଖଳା ହେବ । ଏଥିରେ ଡିଆରଏସ୍, ବ୍ୟାଟ୍ ଆକାର ଏବଂ ଅମ୍ପାୟାର ଲାଲ୍ କାର୍ଡ ଦେଖାଇବା ଭଳି ନୂଆ ନିୟମ ଲାଗୁ ହେବ । ନୂଆ ନିୟମରେ ଖେଳା ହେବାକୁ ଥିବା ପ୍ରଥମ ମ୍ୟାଚର ପିଚ୍ କିନ୍ତୁ ବ୍ୟାଟିଂ ଉପଯୋଗୀ ହେବ। ଏଠାରେ ଖେଳା ଯାଇଥିବା ଗତ ଦିନିକିଆରେ ଦକ୍ଷିଣ ଆଫ୍ରିକା ୪୩୮ ରନର ବିଶାଳ ସ୍କୋର କରିଥିଲା । ତେବେ ଗତ କିଛି ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିବାରୁ ଏହାର କିଛିଟା ପ୍ରଭାବ ପିଚ୍ ଉପରେ ପଡ଼ିପାରେ ।

ନ୍ୟୁଜିଲାଣ୍ଡ ଶୃଙ୍ଖଳା ପୂର୍ବରୁ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଭାରତ ୧୨୦ ପଏଣ୍ଟରେ ରହିଛନ୍ତି । ତେବେ ଦଶମିକ ତିନି ସ୍ଥାନ ପର୍ଯ୍ୟନ୍ତ ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକା ଆଗୁଆ ରହିଛି । ଫଳରେ ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରି ନେଇଛି । ଦକ୍ଷିଣ ଆଫ୍ରିକା ସଂପ୍ରତି ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ଖେଳୁଛି । ଏହି ଶୃଙ୍ଖଳାକୁ ଯଦି ଦକ୍ଷିଣ ଆଫ୍ରିକା ୩-୦ରେ ଜିତିନିଏ, ତାହାଲେ ଭାରତକୁ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିବା ଲାଗି ନ୍ୟୁଜିଲାଣ୍ଡକୁ ବି ୩-୦ରେ ହରାଇବାକୁ ପଡ଼ିବ । ବ୍ୟକ୍ତିଗତ ଭାବେ ରୋହିତ ଶର୍ମା ଆଉ ୯୮ ରନ୍ କରି ପାରିଲେ ୨୦୧୭ରେ ବିରାଟ କୋହଲିଙ୍କ ପରେ ୧,୦୦୦ ରନ୍ ପୂରଣ କରିବେ ।

ଅନ୍ୟପଟେ, ଏସିଆ କପ ହକି ଟୁର୍ଣ୍ଣାମେଂଟରେ ଆଜି ଫାଇନାଲ ଖେଳାଯିବ । ଫାଇନାଲରେ ମାଲେସିଆକୁ ଭେଟିବ ଭାରତ । କାଲି ସେମିଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ଢାକାର ମୌଲାନା ଭସାନୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ବର୍ଷା ଯୋଗୁଁ ଦେଢ ଘଂଟା ଡେରିରେ ଆରମ୍ଭ ହୋଇଥିଲା । ତେବେ ପାକିସ୍ତାନ ଉପରେ ଭାରିପଡି ଭାରତୀୟ ଦଳ ବିଜୟ ଧାରାକୁ ଅବ୍ୟାହତ ରିଖିଛନ୍ତି ।

ଭାରତ ପକ୍ଷରୁ ସତବୀର ସିଂହ, ହରମନପ୍ରୀତ, ଲଳିତ ଉପାଧ୍ୟାୟ ଓ ଗୁରୁଜନ୍ତ ଗୋଟିଏ ଲେଖାଁଏ ଗୋଲ କରିଥିଲେ । ସୁପର ଫୋରର ଏହି ମୁକାବିଲାରେ ପାକିସ୍ତାକୁ ହରାଇ ଭାରତ ୭ ପଏଂଟ ସହ ଟପରେ ରହି ଫାଇନାଲକୁ ପ୍ରବେଶ କରିଛି । ଦକ୍ଷିଣ କୋରିଆ ସହ ମ୍ୟାଚକୁ ଅମୀମାଂସିତ ରଖି ମାଲେସିଆ ଫାଇନାଲରେ ପହଂଚିଛି ।