କ୍ୟାନସର ରୋଗୀଙ୍କ ପାଇଁ ଏଲଆଇସିର ନୂଆ ସ୍ୱସ୍ଥ୍ୟବୀମା ଯୋଜନା ! ୨୦ରୁ ୬୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ନେଇପାରିବେ ପଲିସି

43

କନକ ବ୍ୟୁରୋ: କ୍ୟାନସର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଆଣିଛି ଭାରତୀୟ ଜୀବନ ବୀମା ନିଗମ-ଏଲଆଇସି । ଯେଉଁଥିରେ କ୍ୟାନସରରେ ରୋଗରେ ପୀଡିତଙ୍କୁ ସର୍ବାଧିକ ୧୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ଯୋଗାଇ ଦେବ ଏଲଆଇସି । ୨୦ରୁ ୬୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଏଲଆଇସି କ୍ୟାନସର କଭର ପଲିସିର ଲାଭ ଉଠାଇ ପାରିବେ । ଏଥିପାଇଁ ବାର୍ଷିକ କିମ୍ବା ପ୍ରତି ୬ ମାସରେ ମଧ୍ୟ ପ୍ରିମିୟମ ଦେଇପାରିବେ ଗ୍ରାହକ ।

ପିଲିସି ଅବଧି ମଧ୍ୟରେ ଯେକୌଣସି ପ୍ରକାର କ୍ୟାନସର ହେଲେ, ଚିକିତ୍ସା ପାଇଁ ବୀମାରାଶି ପାଇପାରିବେ ଗ୍ରାହକ । ପ୍ରାଥମିକ ସ୍ତରରେ କିମ୍ବା ରୋଗ ଜଟିଳ ହେବା ପରେ ଜଣାପଡିଲେ ମଧ୍ୟ ବୀମା ରାଶି ପ୍ରଦାନ କରିବ ଏଲଆଇସି । ପୂର୍ବରୁ ଏସବିଆଇ ଲାଇଫ ମଧ୍ୟ ସଂପୂର୍ଣ୍ଣ କ୍ୟାନସର ସୁରକ୍ଷା ବୀମା ପ୍ରଦାନ କରିଆସୁଛି । ହେଲେ ଏଲଆଇସି ଅନେକଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ହୋଇଥିବାରୁ ଏହି ନୂଆ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅଧିକାଂଶ ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି ।

ତେବେ ତମାଖୁ ସେବନ, ମଦ୍ୟପାନ ଓ ଅନିୟମିତ ଜୀବନଶୈଳୀ ପାଇଁ ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ଏଲଆଇସିର କ୍ୟାନସର କଭର ପଲିସିରୁ ଅନେକ ଲୋକ ଲାଭ ପାରିପାରିବେ ।