ଓଡ଼ିଶାର ୯୬ ଗାଁକୁ ହାଇଜାକ କରିଛନ୍ତି ପଡୋଶୀ ରାଜ୍ୟ ! ସୀମା ବିବାଦର ସାଂଘାତିକ ସତ

102

କନକ ବ୍ୟୁରୋ : ଓଡିଶାର ୯୬ଟି ଗାଁକୁ ମାଡି ବସିଛନ୍ତି ପଡୋଶୀ ରାଜ୍ୟ । ଏକଥା ଆଉ କେହି ନୁହେଁ ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସୂଚନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଏହି ଗାଁ ଗୁଡିକୁ କବଜା କରିନେଇଥିବା ଜଣାପଡିଛି । ଏହି ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିବା ରାଜ୍ୟ ସରକାର କହିଛନ୍ତି ।

ଓଡିଶାର ଗାଁ ଉପରେ ପଡୋଶୀ ରାଜ୍ୟଙ୍କ କବଜା । ସୀମାନ୍ତରେ ଥିବା ୯୬ଟି ଗାଁକୁ ମାଡିବସିଛନ୍ତି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ ।ବିଧାନସଭାରେ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପଚାରିଥିବା ଏକ ଅଣ ତାରକା ପ୍ରଶ୍ନର ଉତରରେ ଗୃହରେ ଏହି ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି । ମନ୍ତ୍ରୀ କହିଛନ୍ତି ଯେ, ପଡୋଶୀ ରାଜ୍ୟସହ ଏହିସବୁ ଗାଁକୁ ନେଇ ସୀମା ବିବାଦ ରହିଛି ଓ ସୁପ୍ରିମକୋର୍ଟରେ ୧୯୬୮ରୁ ମାମଲା ଚାଲିଛି ।

UDAYAPUR-SEA-BEACHପୂର୍ବରୁ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ଏପରିକି କୋରାପୁଟ ଜିଲ୍ଲାର ୨୨, ଗଞ୍ଜାମର ୨୧, ଗଜପତିର ୧୬ ଓ ରାୟଗଡା ଜିଲ୍ଲାର ୫ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ରହିଛି । ସେହିପରି ବାଲେଶ୍ୱର ଜିଲ୍ଲାର ୬ଟି ଗାଁ ଓ ମୟୁରଭଞ୍ଜ ଜିଲ୍ଲାର ୮ଟି ଗାଁକୁ ନେଇ ପଶ୍ଚିମବଙ୍ଗ ସହ ବିବାଦ ଚାଲିଆସିଛି । ଅନ୍ୟପଟରେ ମୟୁରଭଞ୍ଜ ଜିଲ୍ଲାରେ ୨ଟି ଗାଁ, କେନ୍ଦୁଝର ଜିଲ୍ଲାରେ ୫ଟି ଓ ସୁନ୍ଦରଗଡ ଜିଲ୍ଲାରେ ୬ଟି ଗାଁ ଉପରେ ଝାରଖଣ୍ଡ ପ୍ରଭାବ ବିସ୍ତାର କରିଛି ଏବଂ ଏହି ସୀମା ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ମହାନଦୀ ବିିବାଦରେ ଛତିଶଗଡକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାର ସୀମାବର୍ତ୍ତୀ ଗାଁ ଉପରେ ମଧ୍ୟ ଛତିଶଗଡ ନଜର ପକାଇଛି । ପଡୋଶୀ ଛତିଶଗଡ ସହ ନବରଙ୍ଗପୁରରେ ୪ଟି ଓ ଝାରସୁଗୁଡାରେ ଗୋଟିଏ ଗାଁକୁ ନେଇ ସୀମା ବିବାଦ ରହିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସମସ୍ତ ସୀମା ବିବାଦରେ ପଡୋଶୀ ରାଜ୍ୟର ସରକାରୀ ଅଧିକାରୀମାନେ ଓଡିଶା ମାଗିଥିବା ଆବଶ୍ୟକ ତଥ୍ୟ ଦେଇନଥିବାରୁ ସମାଧାନ ହୋଇନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
କିଛି ଦିନ ପୂର୍ବେ ବାଲେଶ୍ୱର-ବଙ୍ଗଳା ସୀମାରେ ଥିବା ତାଳସାରୀ ଓ ଉଦୟପୁର ବେଳାଭୂମି ଘଟଣା ସାମ୍ନାକୁ ଆସିଥିଲା । କିଭଳି ଓଡିଶା ସୀମାକୁ ଦଖଲ କରିବା ଲାଗି ଚକ୍ରାନ୍ତ ଚଳାଇଛନ୍ତି ମମତା ବାନାର୍ଜୀ ସରକାର ଆଉ ନୀରବଦ୍ରଷ୍ଟା ସାଜିଛନ୍ତି ନବୀନ ତାହା ବେଶ ସ୍ପଷ୍ଟ ଜଣାପଡୁଥିଲା । ଓଡିଶା ସୀମାରେ ୪ କିଲୋମିଟର ଯାଏଁ କଂକ୍ରିଟ ବେଂଡଚ ତିଆରି କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏବେ ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଏହି ତଥ୍ୟ ଦର୍ଶାଉଛି ଯେ, ସରକାରଙ୍କ ଉଦାସୀନତାରୁ ଓଡିଶା ମାନଚିତ୍ରରୁ ହଜିଯିବାକୁ ବସିଛି ଏହିଭଳି ୯୬ଟି ଗାଁ ।