ମୌଳିକ ସୁବିଧାରୁ ବଂଚିତ ବଡଚଣା ବ୍ଳକ ଓଲର ଆଦିବାସୀ । ହେଲେ ବିକାଶର ବାର୍ତ୍ତା ବାଂଟିବା ପାଇଁ ରୌପ୍ୟ ଜୟନ୍ତୀ ପାଳନ କରି ବାହାବାହା ନେଉଛନ୍ତି ଜିଲ୍ଲା ପ୍ରଶାସନ

45

କନକ ବ୍ୟୁରୋ: ମୌଳିକ ସୁଖ ସୁବିଧାରୁ ବଂଚିତ ଯାଜପୁର ବଡଚଣା ବ୍ଳକ ଓଲର ଆଦିବାସୀ । ଜିଲ୍ଲା ବିକାଶର ବାର୍ତା ବାଂଟିବା ପାଇଁ ଜିଲ୍ଲା ମୁଖ୍ୟାଳୟରେ ରୌପ୍ୟ ଜୟନ୍ତି ପାଳନ କରି ବାହାବାହା ନେଉଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ । ହେଲେ ଏ ଗାଁର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ କରି ହୁଏ କେତେ ବିକଶିତ ଏଠାକାର ଆଦିବାସୀ । ବିକାଶ ବାଟବଣାର, ଚିତ୍ରକୁ ନେଇ ପ୍ରଶାସନ ପାଖରେ ପହଂଚିବା ପରେ ସରଜମିନ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ଏ ହେଉଛି ବଡଚଣା ବ୍ଳକ ବନ୍ଦାଳ ପଂଚାୟତର ଆଦିବାସୀ ଗାଁ ଓଲର । ନୂଆଣିଆ ଝପୁଡି ଘରେ ରହୁଛନ୍ତି ପ୍ରାୟ ତିରିଶଟି ଆଦିବାସୀ ପରିବାର । ମୂଲ ମଜୁରୀ ଲାଗିବା ଏମାନଙ୍କ ରୋଜଗାରର ମୂଳ ପନ୍ଥା । କାମ ମିଳିଲେ ଖାଇଲେ, ନହେଲେ ଉପବାସ । ମୁଣ୍ଡ ଗୁଂଜିବା ପାଇଁ ନା ଅଛି ଭଲ ଘର ଖଣ୍ଡେ ନା ପେଟପୁରା ମିଳୁଛି ଦୁଇ ଓଳି ଦୁଇ ମୁଠା ଖାଇବା । ଦୀର୍ଘଦିନ ଧରି ଭୋଟ ଦେଇଆସୁଥିବା ଓଲର ଆଦିବାସୀଙ୍କୁ ଏଯାଏଁ ଘରଡିହ ପଟ୍ଟା ଖଣ୍ଡିଏ ମିଳିନଥିବାରୁ ଇନ୍ଦିରା ଆବାସ କି ବିଜୁ ପକ୍କା ଘର ଏମାନଙ୍କ ପାଇଁ ସାତସପନ ପାଲଟିଛି ।

ଓଲର ଗାଁକୁ ୫ବର୍ଷ ହେବ ବିଦ୍ୟୁତ ସରବରାହ ବନ୍ଦ ହୋଇ ଥିବା ବେଳେ ପିଇବା ପାଣି ଯୋଗାଉଛି ମାତ୍ର ଗୋଳିଆ ପାଣି ବାହାରୁଥିବା ଗୋଟିଏ ନଳକୂଅ । ଓଲର ଆଦିବାସୀଙ୍କ ବିକାଶର ଅସଲ ଚିତ୍ରକୁ ପ୍ରଶାସନ ସମ୍ମୁଖରେ ରଖିବା ପରେ ତୁରନ୍ତ ଆଦିବାସୀ ପରିବାରକୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବଡଚଣା ବିଡିଓ ।