୨ ଲକ୍ଷ କୋଟିର ସ୍ୱପ୍ନ ! ମେକ୍ ଇନ୍ ଓଡିଶା କନକ୍ଲେଭରେ ମିଳିଲା ବିଶାଳ ପୁଂଜି ନିବେଶର ପ୍ରତିଶ୍ରୁତି

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେକ ଇନ୍ ଓଡିଶା କନକ୍ଲେଭରୁ ବିଶାଳ ପୁଂଜିନିବେଶର ପ୍ରତିଶ୍ରୁତି ପାଇଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଭିନ୍ନ ପ୍ରକଳ୍ପରେ ୨ ଲକ୍ଷ ୩ହଜାର ୨୭୦ କୋଟିର ପୁଂଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହା ରାଜ୍ୟରେ ଅତିରିକ୍ତ ୧ ଲକ୍ଷ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି  ।

ଏହି ପୁଂଜିନିବେଶକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରତିଷ୍ଠା ହେବ ବୈଷୟିକ ତାଲିମ କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର । ବୈଷୟିକ ତାଲିମ ପାଇଁ ଅନୁଗୁଳ ଏବଂ ଭୁବନେଶ୍ୱରରେ ଗୋଟିଏ ଲେଖାଏଁ ପ୍ରତିଷ୍ଠାନ ନିର୍ମାଣ ହୋଇଥିବା ବେଳେ ଆଗକୁ ଆହୁରି ୫ଟି ପ୍ରତିଷ୍ଠାନ ସ୍ଥାପନ ହେବ । ସେହିପରି ଦକ୍ଷତା ବିକାଶ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବା ୭୪ଟି ସ୍କିଲ୍ଡ ଡେଭଲପମେଂଟ୍ ସେଂଟର ପ୍ରତିଷ୍ଠା କରାଯିବା ନେଇ ସୂଚନା ଦିଆଯାଇଛି ।ସେହିପରି ଓଡ଼ିଶାରେ ସ୍କିଲ୍ଡ ୟୁନିଭର୍ସିଟି ପ୍ରତିଷ୍ଠା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଛି ।

ଆଜି ଏହି କନକ୍ଲେଭର ଉଦ୍ୟାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ଶିଳ୍ପପତି ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ଧନ୍ୟବାଦ ଜଣାଇବା ସହ ପୁଂଜି ନିବେଶ କ୍ଷେତ୍ରରେ ସରକାରଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଛନ୍ତି । ସେହିପରି ଆସନ୍ତା ୨୦୧୮ ମସିହାରେ ପୁଣି ଥରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ଦେଖାଇଥିବା ଏହି ସ୍ୱପ୍ନକୁ ଭିନ୍ନ ଢ଼ଙ୍ଗରେ ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛିତଥ୍ୟ ଦେଇ ଧର୍ମେନ୍ଦ୍ର କହିଛନ୍ତି ୨୦୧୧ ଜନଗଣନା ଅନୁସାରେ, ୨୦ରୁ ୩୫ ବର୍ଷ ବୟସର ବେକାର ଓଡିଶା ଯୁବକ ଯୁବତୀଙ୍କ ସଂଖ୍ୟା ଥିଲା ୧ କୋଟି ୪ ଲକ୍ଷ । ଯାହା ୨୦୧୬ ସୁଦ୍ଧା ୧ କୋଟି ୨୫ ଲକ୍ଷ ହୋଇଯାଇଛି । ଏମାନଙ୍କୁ ନିଯୁକ୍ତି ଦେଲେ ଭିଜନ୍ ୨୦୩୬ର ସ୍ୱପ୍ନ ସଫଳ ହେବ ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ତେବେ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଦେଶର ବିକାଶ ପାଇଁ ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ଲକ୍ଷ୍ୟ, ଆଉ ଏଥିରେ ଓଡିଶା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି ।

ଦେଶର ଏକ ପଛୁଆ ରାଜ୍ୟ ଭାବରେ ପରିଗଣିତ ହୁଏ ଓଡ଼ିଶା । ନିକଟରେ ଦାନମାଝୀ ପରି ପ୍ରସଙ୍ଗ ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟକୁ ଆହୁରୀ ବିଗାଡ଼ି ଦେଇଛି । ଏସବୁ ଭିତରେ ନୂଆ ଆଶା ସଂଚାର କରିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏସବୁ ପ୍ରତିଶ୍ରୁତି ପୁରଣ ହେବ ନା’ ପାଣିର ଗାର ପରି ମିଳେଇ ଯିବ ।