ପୁରୁଣାଙ୍କୁ ପାଛୋଟିବେ ନବୀନ : ବ୍ୟକ୍ତିଙ୍କୁ ପରଖି ଦଳରେ କରିବେ ସାମିଲ

32

କନକ ବ୍ୟୁରୋ : ବିଜେଡିରୁ ବିଦା ହୋଇଥିବା ନେତା ପୁଣି ପାଇ ପାରନ୍ତି ନବୀନ ପଟ୍ଟନାୟକଙ୍କ ଅନୁକମ୍ପା । ୧୮ ବର୍ଷରେ ପ୍ରଥମ ଥର ପାଇଁ ଏହି ନେତାମାନଙ୍କୁ ଦଳକୁ ଫେରାଇବା ନେଇ ସବୁଜ ସଙ୍କେତ ଦେଇଛନ୍ତି ନବୀନ । ହେଲେ ଦଳକୁ ଫେରାଇବା ପୂର୍ବରୁ ତାଙ୍କ ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଛି । କାହିଁକି ଦଳରୁ ବିଦା ହୋଇଥିଲେ, ସେ ନେଇ ତର୍ଜମା କରିବା ପରେ ଘର ବାହୁଡା କଥା ଚିନ୍ତା କରାଯିବ ବୋଲି ନବୀନ କହିବା ପରେ, ଆଶାୟୀଙ୍କ ତାଲିକା ଲମ୍ବିଛି ।

ବଦଳୁଛି ନବୀନଙ୍କ କାର୍ଯ୍ୟଶୈଳୀ ଓ ଚିନ୍ତାଧାରା । ଏଥର ଦଳରୁ ବିଦା ହୋଇଥିବା ପୁରୁଖା ନେତାଙ୍କୁ ଫେରାଇ ଆଣିବାକୁ ଦେଇଛନ୍ତି ଗ୍ରୀନ ସିଗନାଲ୍ । ସେମାନଙ୍କ ସଂପର୍କରେ ତର୍ଜମା କରି ଦଳକୁ ଫେରାଇବା କଥା ଚିନ୍ତା କରିବେ ନବୀନ । ଘରବାହୁଡା ତାଲିକାରେ ସେହି ନେତା ରହି ପାରନ୍ତି ଯେଉଁମାନେ ଦଳୀୟ ବେପାର ସମ୍ଭାଳିବା ସହ କେନ୍ଦ୍ରଓ ରାଜ୍ୟ ମଧ୍ୟରେ ଭଲ ସଂପର୍କ ରଖି ପାରିବେ ।

ଦିଲ୍ଲୀପ ରାୟ- ବିଜେପି ବିଧାୟକ ଦିଲ୍ଲୀପ ରାୟ ବିଜେପିକୁ ନେଇ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି । ଏପରି ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛନ୍ତି । ଶେଷ ସମୟରେ ବିଜୁ ବାବୁଙ୍କ ସମୟରେ ରହିଥିବା ଦିଲ୍ଲୀପ, ବିଜେଡି ପ୍ରତିଷ୍ଠାତା ସଦସ୍ୟ । ହେଲେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୨୦୦୨ ମସିହାରେ ସେ ବିଦା ହୋଇଥିଲେ ।

ବିଜୟ ମହାପାତ୍ର- ବିଜେପିର ଏହି ବରିଷ୍ଠ ନେତା ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ଏହି ବିଜୁ ଅନୁଗତଙ୍କୁ ୨୦୦୦ ମସିହାରୁ ବିଜେଡି ବହିଷ୍କାର କରିଛି । ହେଲେ ବର୍ତ୍ତମାନ ସେ ବିଜେପି ଏକ ପ୍ରକାର ଅଣନିଶ୍ୱାସୀ ବୋଲି ଚର୍ଚ୍ଚା ହେଉଛି । ପ୍ରଫୁଲ୍ଲ ଘଡାଇ- ନବୀନ ବିରୋଧୀ ମନ୍ତବ୍ୟ ଯୋଗୁ ୨୦୧୪ ମସିହାରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ ଘଡାଇ । ବର୍ତ୍ତମାନର ସାଂସଦ ଓ ବିଧାୟକ ଯେଉଁ ପରି ଦଳୀୟ ବେପାରକୁ ସାଧାରଣରେ ପଦାରେ ନିର୍ଭକ ଭାବେ ପକାଉଛନ୍ତି, ସେ ସେପରି କିଛି ନ କରିଥିବା ସତ୍ୱେ, ଦଳ ତାଙ୍କୁ କିପରି ଦୂରେଇଲା ବୋଲି ପ୍ରଶ୍ନ କରିଛନ୍ତି ।

ଗତ ପଂଚାୟତ ନିବାର୍ଚନରେ ଅଭିଜ୍ଞ ନେତାଙ୍କ ଅଭାବ ଅନୁଭବ କଲେ ନବୀନ । ସେପଟେ ବିଜେପି ସଂଗଠନ ବଢୁଛି । ବିଜେଡିରୁ ନେତା ବିଜେପିରେ ମିଶିବା ନେଇ ବି ଚର୍ଚ୍ଚା ହେଉଛି । ପୁଣି ବିଜେଡି ସାଂସଦ ତଥାଗତ ଶତପଥି ବି ସଂସଦୀୟ ଦଳ ଭାଙ୍ଗିବା ନେଇ ଟ୍ୱିଟ୍ କରିଛନ୍ତି । ଏପରି ସ୍ଥିତିରେ ପୁରୁଣା ନେତାଙ୍କୁ ନେଇ ଘର ସଜାଡିବା ଲକ୍ଷ୍ୟରେ ନବୀନ ।