ନବୀନଙ୍କ ବଡ ବିଫଳତା ! ରାଜ୍ୟରେ ସୃଷ୍ଟି କରିପାରିନାହାଁନ୍ତି ନିଯୁକ୍ତି ସୁଯୋଗ

26

କନକ ବ୍ୟୁରୋ : କନକ ନ୍ୟୁଜର ଅନଲାଇନ ଓପିନିୟନ ପୋଲରେ ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ବିଫଳତା ଥିଲା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଅର୍ଥାତ ରାଜ୍ୟରେ ଅନେକ ଯୁବକ କାମ ନପାଇ ବେକାର ହୋଇ ବସିଛନ୍ତି । ପ୍ରାୟ ୮ହଜାର ମତଦାତାଙ୍କ ମଧ୍ୟରୁ ୪୮ ପ୍ରତିଶତ କହୁଛନ୍ତି ନବୀନ ସରକାରଙ୍କ ସବୁଠାରୁ ବଡ଼ ବିଫଳତା ହେଉଛି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । କାରଣ ବେକାରୀ ବଢି ବଢି ଚାଲିଛି, ଏବଂ ନିଯୁକ୍ତି ପାଇଁ ସେଭଳି ସୁଯୋଗ ତିଆରି କରାଯାଇ ପାରୁନାହିଁ । ଶିଳ୍ପ କ୍ଷେତ୍ରରେ ନିବେଶ ମଧ୍ୟ ସେପରି ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟିକରିପାରିନାହିଁ ।

ଏହାର ଠିକ୍ ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଗତ ୩ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ସରକାରୀ କ୍ଷେତ୍ରରେ ୫୦ ହଜାର ଯୁବକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ସେପଟେ ବିଜେପି ଓ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନିଯୁକ୍ତି ନେଇ ସରକାରଙ୍କ ପ୍ରତିଶ୍ରୁତି କୁଆଡେ ଗଲା ।

ଭାରତ ସରକାରଙ୍କ ଲେବର ବ୍ୟୁରୋର ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ବେକାରୀ ହାର ରହିଛି ୫ ପ୍ରତିଶତ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ବେକାରୀ ହାର ଅଧିକ । ଇକୋନମିକ୍ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅନ୍ୟ ରାଜ୍ୟର ତୁଳନାରେ ଓଡ଼ିଶାର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେଉଛି । ବିଦେଶୀ ପୁଂଜିନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବେଶ ଆଗୁଆ ରହିଛି । କିନ୍ତୁ ସାରା ଦେଶ ଭଳି ଓଡ଼ିଶାରେ ମଧ୍ୟ ନିଯୁକ୍ତି କ୍ଷେତ୍ର ବିଶେଷ ଆଗେଇ ପାରୁନାହିଁ ।