ଜୀବନକୁ ବାଜି ଲଗାଇଥିବା ସାହାସୀ ଶିଶୁଙ୍କୁ ସମ୍ମାନିତ କରିବ ଦେଶ ! ୧୮ ଶିଶୁଙ୍କ ମଧ୍ୟରେ ଓଡିଶାରୁ ଦୁଇଜଣ

47

କନକ ବ୍ୟୁରୋ : ଅଦମ୍ୟ ସାହସ ପାଇଁ ସମ୍ମାନ । ମୃତ୍ୟୁ ମୁଖରୁ ଅନ୍ୟର ଜୀବନକୁ ଛଡାଇ ଆଣିଥିବା ସାହସୀ ଶିଶୁଙ୍କ ସମ୍ମାନିତ କରିବ ଦେଶ । ଗଣତନ୍ତ୍ର ଦିବସରେ ଦେଶର ୧୮ ଜଣଙ୍କ ଶିଶୁଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡିଆ ଶିଶୁ । ବୟସରେ ସାନ, କିନ୍ତୁ କାମରେ ବୟସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଏହି ୧୮ଜଣ ଶିଶୁଙ୍କୁ ପ୍ରଦାନ କରାଯିବ ଜାତୀୟ ସାହସିକତା ପୁରସ୍କାର । ଆଗାମୀ ୨୪ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ସହ ଓଡିଶାର ଏହି ଦୁଇ ସାହସୀ ଶିଶୁଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଦିଲ୍ଲୀରେ ପହଂଚି ସାରିଛନ୍ତି କେନ୍ଦ୍ରାପଡାର ୬ବର୍ଷର କୁନି ଝିଅ ମମତା ଦଳାଇ ଓ କେନ୍ଦୁଝରର ୧୪ ବର୍ଷର ଶିଶୁ ପଙ୍କଜ ମହାନ୍ତ ।

national-bravery-awardସାହସୀ ଝିଅ ମମତା ଦଳେଇ । ବଡ ଭଉଣୀ ସାଙ୍ଗରେ ପୋଖରୀକୁ ଶୌଚ ହେବାପାଇଁ ଯାଇଥିଲା ମମତା । ହଠାତ ପୋଖରୀ ଭିତରୁ ଏକ ଥଂଟିଆ କୁମ୍ଭୀର ଯେତେବେଳେ ବଡ ଭଉଣୀ ଅଶାନ୍ତିର ଡାହାଣ ହାତକୁ ତାର ମୁନିଆ ଦାନ୍ତରେ ଭିଡି ଧରିଥିଲା ଠିକ ସେତିକିବେଳେ ପାଖରେ ଛିଡା ହୋଇଥିବା ସାନ ଭଉଣୀ ମମତା ଦେଖାଇଥିଲା ଅଦମ୍ୟ ସାହସ । ୫ ଫୁଟିଆ କୁମ୍ଭୀରକୁ ଦେଖି ଯେଉଁଠି ବଡବଡ ଲୋକଙ୍କର ବି ବୁଦ୍ଧି ହଜିଯାଏ, ସେତିକିବେଳେ ଡରିନଯାଇ ଅସୀମ ସାହସ ଦେଖାଇଥିଲା ଏହି ୬ ବର୍ଷର ଏହି କୁନି ଝିଅଟି । ଅଶାନ୍ତିର ବାମ ହାତକୁ ଧରି ଟାଣି ଆଣିଥିଲା ମମତା । ଆଉ ମଣିଷ ଖିଆ କୁମ୍ଭୀର ମୁହଁରୁ ଛଡାଇ ଆଣିଥିଲା ଭଉଣୀକୁ । କେନ୍ଦ୍ରାପଡା ଡାଙ୍ଗମାଳ ଗାଁର ଏହି କୁନି ଝିଅର ସାହସିକତାକୁ ପୁରସ୍କୃତ କରିବେ କେନ୍ଦ୍ର ସରକାର ।

ସେହିପରି ନିଜ ଜୀବନକୁ ବାଜି ଲଗାଇ ବୈଜୟନ୍ତ ମହାନ୍ତ , ସୁଜିତା ମହାନ୍ତ ଓ ପୁଷ୍ପଲତା ମହାନ୍ତଙ୍କୁ ବଂଚାଇ ଦେଇଥିଲେ ସାହାସୀ ବାଳକ ପଂକଜ । କେନ୍ଦୁଝର ଚମ୍ପୁଆ ବ୍ଳକ କାଟୁଳିକନା ଗାଁର ବୈଜୟନ୍ତୀ ମହାନ୍ତ ଗାଧୋଇବାକୁ ଯାଇଥିଲେ ବୈତରଣୀ ନଦୀକୁ । ଗାଧୋଉଥିବା ବେଳେ ଗୋଡ ଖସି ଯାଇଥିଲା ଚୋରାବାଲିରେ । ତାଙ୍କୁ ରକ୍ଷା କରିବା ପାଇଁ ସୁଜିତା ଓ ପୁଷ୍ପଲତା ପାଣି ଭିତରକୁ କୁଦି ପଡିଥିଲେ । ମାତ୍ର ତିନି ଜଣ ଯାକ ଗଣ୍ଡରେ ପଡି ଥଳ କୂଳ ପାଇନଥିଲେ ଆଉ ଜୀବନ ବିକଳରେ ସହାୟତା ଲାଗି ଚିକ୍ରାର କରିଥିଲେ । ଏତିକିବେଳେ ମାଆଙ୍କ ସହ ଗାଧୋଇବାକୁ ଆସିଥିବା ସାହାସୀ ପଂକଜ ଡେଇଁ ପଡିଥିଲେ ପାଣି ଭିତରକୁ । ନିଜ ଜୀବନକୁ ପରୱା ନକରି ଜଣକ ପରେ ଜଣେ ତିନି ଜଣକୁ ପହଁରି ପହଁରି କୂଳକୁ ଆଣିଥିଲେ । ୧୪ ବର୍ଷର ପଂକଜ ମହାନ୍ତଙ୍କୁ ୨୦୧୮ ମସିହା ପାଇଁ ମିଳିବ ଜାତୀୟ ସାହସିକତା ପୁରସ୍କାର ।

୧୯୫୮ରେ ଦେଶରେ ପ୍ରଥମକରି ଦୁଇଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଦିଲ୍ଲୀ ରାମଲୀଳା ମୈଦାନରେ ଜବାହାରଲାଲ ନେହେରୁଙ୍କ ଏକ କାର୍ଯ୍ୟକ୍ରମବେଳେ ନିଆଁ ଲାଗି ଶତାଧିକ ଲୋକ ଫସିଯାଇଥିବାବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଏମାନଙ୍କୁ ଉଦ୍ଧାର କରିଥିଲେ ହରିଶ ଚନ୍ଦ୍ରା ନାମକ ଜଣେ ଶିଶୁ । ପରବିର୍ତ୍ତି ସମୟରେ ୫ଟି କାଟାଗୋରୀରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଉଛି ।