ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ ! ନିଆଁରେ ଜଳିଗଲା ୫୦ରୁ ଅଧିକ ଘର
କନକ ବ୍ୟୁରୋ : ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୫୦ରୁ ଅଧିକ ଘର । ଧୁଷୁରୀ ଥାନା ଅନ୍ତର୍ଗତ ଖଙ୍ଗିମାରା ଭାରତୀ ସାହିରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ବେଳେ ଏଥିରେ ୩୦ ପରିବାର ବାସହରା ହୋଇଯାଇଛନ୍ତି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁର ଲୋକେ ଖାଇପିଇ ଶୋଇଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ରାତି ପ୍ରାୟ ୩ଟା ବେଳେ ଗାରେ ଥିବା ଜଣକ ଚାଳଘରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ କରାଳ ଆଁ କରି ଗାଁର ଘର ପରେ ଘରକୁ ଗିଳି ଯାଇଥିଲା । ଖବର ପାଇ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରିରୁ ୩ଟି ଦମକଳ ଆସି ସ୍ଥାନୀୟ ଲୋକଙ୍କ ସହାତାରେ ନିଆଁକୁ ଆୟତ କରିଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ବହୁ କଷ୍ଟରେ ନିଆଁକୁ ଆୟତ କରାଯାଇଛି ।
ମାତ୍ର ସେତେବେଳକୁ ୩୦ଟି ପରିବାରର ସବୁକିଛି ଜଳି ଯାଇଥିଲା । ମୋଟ ୫୦ରୁ ଅଧିକ ଘର ସହିତ ଧାନଚାଉଳ, ଆସବାବପତ୍ର ଓ ଲୁଗାପଟା ଜଳି ପାଉଁଶ ହୋଇ ଯାଇଥିଲା । ଲୋକେ କେବଳ ସେମାନଙ୍କ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବଞ୍ଚାଇ ପାରି ନାହାଁନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଅଧା ଗାଁ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଲୋକମାନଙ୍କର ପରିସ୍ଥିତି ଦୟନୀୟ ହୋଇ ଉଠିଛି । ଲୋକେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଖବର ପାଇ ପ୍ରଶାସନ ଆଜି ସକାଳୁ ଗାଁରେ ପହଞ୍ଚି ଲୋକଙ୍କୁ ତତ୍କାଳ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରୁଛନ୍ତି ।