ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ଦିନା ଓ୍ଵାଦିଆଙ୍କ ଦେହାନ୍ତ !

46

କନକ ବ୍ୟୁରୋ : ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ତଥା ଶିଳ୍ପପତି ନୁସ୍‌ଲି ଓ୍ଵାଦିଆଙ୍କ ମାଆ ଦିନା ଓ୍ଵାଦିଆଙ୍କର ଗୁରୁବାର ଦିନ ତାଙ୍କ ନିୟୁୟର୍କସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଓ୍ଵାଦିଆ ପରିବାର ତରଫରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ସେ ଶାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି, ତାଙ୍କର ଉତ୍ତରାଧିକାରୀ ଭାବେ ଅଛନ୍ତି ଝିଅ ଡାଏନା, ପୁଅ ନୁସ୍‌ଲି, ନାତି ନେସ୍‌ ଓ ଜେହ୍‌ ଏବଂ ଜେହ୍‌ଙ୍କ ପତ୍ନୀ ସେଲିନା ଏବଂ ଦୁଇ ଅଣନାତି ନାତୁଣୀ ଜାହ୍‌ ଏବଂ ଏଲା ଓ୍ଵାଦିଆ ।

ମୁମ୍ବାଇସ୍ଥିତ ଜିନ୍ନାଙ୍କ ଘରେ ନିଜର ଅନ୍ତିମ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ ଦିନା । ସେ ଏକମାତ୍ର ଉତ୍ତରାଧୀକାରୀଣି ହୋଇ ଥିବାରୁ ସେ ଘର ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ୨୦୧୦ରେ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଦିନା । ‘ମିଷ୍ଟର୍‌ ଏବଂ ମିସେସ୍‌ ଜିନ୍ନା’ର ଲେଖିକା ଶୀଳା ରେଡ୍ଡୀ  କହିଛନ୍ତି ଜଣେ ଧନୀ ବାପ ଏବଂ ସେଲିବ୍ରିଟି ମାଆଙ୍କ ଠାରୁ ଜାତ ହୋଇଥିଲେ ମଧ୍ୟ ଓ୍ଵାଦିଆଙ୍କ ବାଲ୍ୟକାଳ ଥିଲା ଅବହେଳିତ । ଚାକର ବାକରମାନେ ତାଙ୍କର ଲାଳନ ପାଳନ କରିଥିଲେ ।

ରେଡ୍ଡି ଆହୁରି କହିଛନ୍ତି ଯେ ପାର୍ସି ଶିଳ୍ପପତିଙ୍କୁ ବାହାହେବା ପରେ ପିତାଙ୍କଠାରୁ ପର ହୋଇ ଯିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲେ ମଧ୍ୟ ବାପ ଝିଅ ଆଉ ଘନିଷ୍ଠ ହୋଇ ପାରି ନ ଥିଲେ । ଜିନ୍ନା ଅସୁସ୍ଥ ଥିବାବେଳେ ଓ୍ଵାଦିଆ ପାକିସ୍ତାନ ଆସିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଜିନ୍ନା ତାଙ୍କୁ ଭିସା ଦେବାକୁ ମନା କରି ଦେଇଥିଲେ । ଶେଷରେ ଜିନ୍ନାଙ୍କ ଅନ୍ତିମ ସଂସ୍କାର ପରେ ସେ ପାକିସ୍ତାନ ଯିବାକୁ ସମର୍ଥ ହୋଇଥିଲେ ।