କୃଷି ଋଣ ଛାଡ : ମୋଦି ମନାକଲେ, ରାଜ୍ୟ ବିଜେପି ମଙ୍ଗୁଆଳଙ୍କ ଗ୍ରୀନ୍ ସିଗନାଲ

641

କନକ ବ୍ୟୁରୋ : ଦେଶରେ ଏବେ କୃଷି ଋଣ ଛାଡ ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭା ହୋଇଛି । ଖାସକରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାରକୁ ଆସିବା ପରେ କୃଷି ଋଣ ଛାଡ କରିବାକୁ ଘୋଷଣା କରିବା ପରେ ଏହା ଏବେ ଜାତୀୟ ତଥା ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ଆଉ ଏସବୁ ଭିତରେ କୃଷି ଋଣ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ବୟାନ ଦେଇଛନ୍ତି । କୃଷି ଋଣ ଛାଡ ଚାଷୀଙ୍କ ସମସ୍ୟାର ସମାଧାନର ବାଟ ନୁହେଁ । ନୂଆବର୍ଷରେ ମୋଦିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଛି ଯେ, କୃଷି ଋଣ ଛାଡ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଜ୍ୟ ବିଜେପିର ରାସ୍ତା ସମ୍ପୂର୍ଣ୍ଣ ଅଲଗା ।

ନିର୍ବାଚନୀ ବର୍ଷରେ ମୋଦି କୃଷି ଋଣ ଛାଡ କରିବା ସପକ୍ଷରେ ନାହାନ୍ତି ଏକଥା ତାଙ୍କ ବୟାନ ହିଁ ସ୍ପଷ୍ଟ କରୁଛି । ମୋଦି କହିଛନ୍ତି, କୃଷି ଋଣ ଛାଡ କରିବା କୃଷକଙ୍କ ସମସ୍ୟାର ସବୁଦିନିଆ ସମାଧାନ ନୁହେଁ । ବାରମ୍ବାର କୃଷି ଋଣ ଛାଡ କରାଯିବାପରେ ମଧ୍ୟ ଚାଷୀ ପୁଣି ଋଣୀ ହୋଇଯାଉଛି । ତେଣୁ ଏହା ପଛର କାରଣ ଖୋଜିବାକୁ ପଡିବ । ସେଥିପାଇଁ ଦୀର୍ଘକାଳିନ ଯୋଜନା କରିବାକୁ ପଡିବ । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ଆମ ସରକାର ବିଭିନ୍ନ ଯୋଜନା କରିଛି । କିନ୍ତୁ ନିର୍ବାଚନ ଜିତିବାକୁ ଏବେ କୃଷି ଋଣ ଛାଡ ସବୁଠୁ ବଡ ଟ୍ରମ୍ପକାର୍ଡ ପାଲଟିଛି । କିନ୍ତୁ ଏହା କୃଷକଙ୍କ ସମସ୍ୟାର ସବୁଦିନିଆ ସମାଧାନ ନୁହେଁ ବୋଲି କହିଛନ୍ତି ମୋଦି ।

ଗୋଟିଏ ପଟେ ମୋଦି କୃଷି ଋଣ ଛାଡ ସପକ୍ଷରେ ନଥିବା ବେଳେ ଅନ୍ୟପଟେ କିନ୍ତୁ ରାଜ୍ୟ ବିଜେପି କୃଷି ଋଣ ଛାଡ କରିବା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ଏପରିକି କୃଷି ଋଣ ଛାଡ ପ୍ରସଙ୍ଗରେ ବଡ ଘୋଷଣା ମଧ୍ୟ କରିଛି ରାଜ୍ୟ ବିଜେପି । ୨୦୧୯ରେ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ କୃଷିଋଣ ଛାଡ ହେବ । କୃଷକଙ୍କୁ ସୁଧମୁକ୍ତ ଋଣ ଦେବା ଲାଗି ବନ୍ଦୋବସ୍ତ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପୂର୍ବରୁ କହି ସାରିଛନ୍ତି । ଏପରିକି ଧର୍ମେନ୍ଦ୍ର ମଧ୍ୟ ନିଜକୁ ଏହି କୃଷି ଋଣ ଛାଡ ରେସରେ ସାମିଲ କରି ସାରିଛନ୍ତି । ଏସବୁ ଭିତରେ ମୋଦି ନିର୍ବାଚନ ଜିତିବା କୃଷି ଋଣ ଛାଡ କରିବା ସପକ୍ଷରେ ନଥିବା ବେଳେ ରାଜ୍ୟ ବିଜେପି ସରକାରକୁ ଆସିବା ପାଇଁ ଚାଷୀ ମାନଙ୍କୁ କୃଷି ଋଣ ଛାଡ କରିବାର ସ୍ୱପ୍ନ ଦେଖାଉଛି । ଯାହା ଦର୍ଶାଉଛି କୃଷି ଋଣ ଛାଡ ପ୍ରସଙ୍ଗରେ ମୋଦିଙ୍କ ରାସ୍ତା ଅଲଗା ଓ ରାଜ୍ୟ ବିଜେପିର ରାସ୍ତା ଅଲଗା ।

ଏହାଛଡା ମୋଦି କୃଷି ଋଣ ଛାଡ ସପକ୍ଷରେ ନଥିବା ବେଳେ ପୂର୍ବରୁ ନବୀନ ମଧ୍ୟ କୃଷି ଋଣ ଛାଡ ବଦଳରେ ଚାଷୀଙ୍କ ପାଇଁ କାଳିଆ ଯୋଜନାର ଆରମ୍ଭ କରିଛନ୍ତି । ଯେଉଁଥିରେ ଅଳ୍ପ କିଛି ନୁହେଁ ବରଂ ରାଜ୍ୟର ସମସ୍ତ ଚାଷୀଙ୍କୁ ଫାଇଦା ମିଳିବ । କିନ୍ତୁ ଏସବୁ ଭିତରେ କୃଷି ଋଣ ଛାଡ ପ୍ରସଙ୍ଗରେ ରାଜ୍ୟ ବିଜେପିର ନୀତିକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ଯେତେବେଳେ ଦଳର ଶୀର୍ଷ ନେତା କୃଷି ଋଣ ଛାଡ ସପକ୍ଷରେ ନାହାନ୍ତି ସେତେବେଳେ ରାଜ୍ୟ ବିଜେପି କିଭଳି ଛାତି ବାଡେଇ ସରକାରକୁ ଆସିଲେ କୃଷି ଋଣ ଛାଡ କରାଯିବ ବୋଲି କହୁଛି ତାହା ଆଶ୍ଚର୍ଯ୍ୟ କରୁଛି । କୃଷି ଋଣ ଛାଡ କରିବାର ସ୍ୱପ୍ନ ଦେଖାଇ ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିନି ତ ରାଜ୍ୟ ବିଜେପି ।