ଗାଡି ଚୋରି ରୋକିବ ମୋବାଇଲ ଆପ୍ସ,ମାଟ୍ରିକ ପାସ ଶଶିକାନ୍ତଙ୍କ ଆପ୍ସ ନେଇ ଅଂଚଳରେ ଚର୍ଚ୍ଚା

50

କନକ ବ୍ୟୁରୋ : କୁହାଯାଏ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ଯେ କୌଣସି କାର୍ଯ୍ୟକୁ ସାଧନ କରିହୁଏ । ଏଇ ଯେମିତି ଯାଜପୁର ଜିଲ୍ଳା ବରୀ ନୂଆଗାଁର ଶଶିକାନ୍ତ ଦାସ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ହୋଇଥିଲେ ମଧ୍ୟ ତାଙ୍କ ଦ୍ୱାରା ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ଆପ୍ସ ପାଇଁ ଏବେ ସେ ଚର୍ଚ୍ଚାରେ । ସେ ଏମିତି ଏକ ମୋବାଇଲ ଆପ ତିଆରି କରିଛନ୍ତି ଯାହାକି ଗାଡି ଚୋରୀ ରୋକିବାରେ ବିଶେଷ ସହାୟକ ହୋଇପାରିବ ।

ଯାଜପୁର ବରୀ ନୂଆଗାଁର ଶଶିକାନ୍ତ ଦାସ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ । କିନ୍ତୁ ସେ କରିଛନ୍ତି ଏପରି ଏକ କାମ ଯାହା କୌଣସି ସଫ୍ଟୱେୟାର ଇଂଜିନିୟରଙ୍କ ଠାରୁ କମ ନୁହେଁ । ବାଇକ ଓ କାର ଚୋରିକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ ତିଆରି କରିଛନ୍ତି ଶଶିକାନ୍ତ । ଏହି ଆପ୍ ଜରିଆରେ ଗାଡିକୁ ବନ୍ଦ କିମ୍ବା ଚାଲୁ କରାଯାଇପାରୁଛି । ଯଦି ଗାଡି ଚୋରି ହୋଇଯାଏ ତେବେ ଜିପିଏସ ସଂଯୋଗ ହୋଇଥିବାରୁ ଗାଡି କୁଆଡେ ଯାଉଛି, ତାର ଗତିବିଧି ସଂପର୍କରେ ସଂପୂର୍ଣ୍ଣ ସୂଚନା ମଧ୍ୟ ମିଳିପାରିବ । ଏଥିରେ ଏପରି ବ୍ୟବସ୍ଥା ରହିଛି ଯେ ଯଦି ଚାବି ହଜିଯାଏ ତେବେ ଚାବି ପାଇଥିବା ଲୋକ ବି ଗାଡି ଅନ୍ କରିପାରିବ ନାହିଁ । ଆଉ ଆପଣଙ୍କ ପାଖରେ ଚାବି ନଥାଇ ମଧ୍ୟ ଏହି ଆପ୍ସ ମାଧ୍ୟମରେ ଆପଣ ଗାଡି ଚାଲୁ କରିପାରିବେ ।

ଶଶିକାନ୍ତ ତିଆରି କରିଥିବା ଆପ୍ସର ବ୍ୟବହାର ଦେଖିବାକୁ ପ୍ରତ୍ୟେକ ଦିନ ଲୋକ ଆସୁଛନ୍ତି ତାଙ୍କ ପାଖକୁ । ଆପ ବ୍ୟବହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ନିଜ ଗାଡିରେ ଲଗାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଗାଡି ଚୋରି ରୋକିବା କ୍ଷେତ୍ରରେ ଏହି ମୋବାଇଲ ଆପ୍ସ ବିଶେଷ ସହାୟକ ହେବ । ତେବେ ଏହି ଆପ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଥିବାରୁ ଶଶିକାନ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଶଶିକାନ୍ତଙ୍କ ଦ୍ୱାରା ବାହାର କରାଯାଇଥିବା ଏହି ଆପ୍ସ ଅନେକ ଦିଗରୁ ଉପଯୋଗୀ । ତେବେ ସରକାରୀ ସହାୟତା ମିଳିଲେ ଏହାକୁ ଆହୁରି ଉନ୍ନତ କରାଯାଇପାରିବ ବୋଲି ଆଶା କରାଯାଉଛି ।