ମିଶନ ୩୫୦ ମୁଡରେ ବିଜେପି ! କେନ୍ଦ୍ରମନ୍ତ୍ରୀଙ୍କ ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ କ୍ଲାସ ନେବେ ଶାହ ! ଗୁରୁମନ୍ତ୍ର ଦେବେ ମୋଦି

120

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ପୁରାଦମରେ ଆଗଉଛି ବିଜେପି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୩୫୦କୁ ସଫଳ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ପରେ ଏବେ ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କ୍ଲାସ ନେବେ ଅମିତ । ଆଉ ଏହି ସେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଅମିତ ଶାହଙ୍କ ମିଶନ ୩୫୦ । ଆଗାମୀ ୨୦୧୯ ନିର୍ବାଚନରେ ସଫଳତା ପାଇବା ପାଇଁ ଶାହଙ୍କ ଏହି ଷ୍ଟ୍ରାଟେଜୀକୁ ଆପଣାଇବ ଦଳ । ତେଣୁ ନିର୍ବାଚନ ପୂର୍ବରୁ ଜଣଜଣ କରି ସବୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ କ୍ଲାସ ନେଉଛନ୍ତି ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପୂର୍ବରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବାପରେ ଏବେ ପାଳି ପଡିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର । ଆସନ୍ତା ୨୧ ଅଗଷ୍ଟ ସୋମବାର ସଂଧ୍ୟାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ତେବେ ଏହି ବୈଠକରେ ମୋଦି ନିଜେ ଉପସ୍ଥିତ ରହି ଦଳୀୟ ନେତାଙ୍କ କାନରେ ସଫଳତାର ମନ୍ତ୍ର ଫୁଙ୍କିବେ ।

ଏହି ବୈଠକରେ ପୁରା ଗ୍ରାଉଣ୍ଡ ରିପୋର୍ଟ ଉପରେ ଆଲୋଚନା ହେବ । ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଏସବୁ ନିର୍ବାଚନରେ ଦଳ ଦଳ ୩୫୦ରୁ ଅଧିକ ସିଟ ହାତେଇବା ନେଇ ସମରସଜ୍ଜା ହେବ । ଯେଉଁ ସ୍ଥାନରେ ଦଳ ଦୁଇନମ୍ବର ସ୍ଥିତିରେ ରହିଛି ସେହି ସବୁ ନିର୍ବାଚନମଣ୍ଡଳୀରେ ଅଧିକ କସରତ କରିବା ନେଇ ଆଲୋଚନା ହେବ । ତେବେ କେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଏହି ଲିଷ୍ଟରେ ରହିଛି ଓ ସେଠାରେ ଦଳ କିଭଳି ବିଜୟ ହାସଲ କରିବ ସେନେଇ ମୋଦି ଓ ଅମିତ ଶାହ ଦଳୀୟ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ବୋଲି ଜଣାପଡିଛି ।