ନମୋଙ୍କ ପାଇଁ ନୁହେଁ ନନାଙ୍କ ପାଇଁ ବାଜିଲା ତାଳି । କମ୍ପି ଉଠିଲା ରାଷ୍ଟ୍ରପତି ଭବନ

3,787

କନକ ବ୍ୟୁରୋ : ନୀଳଗିରି ନନାଙ୍କ ପାଇଁ ତାଳି ମାଡରେ କମ୍ପି ଉଠିଲା ନୂଆଦିଲ୍ଲୀ । ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡିଆ ପୁଅଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ବାଲେଶ୍ୱର ସାଂସଦ ତଥା ନୂଆକରି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରତାପ ଷଡଙ୍ଗୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯେତେବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରତାପଙ୍କ ନାଁ ଡକାଯାଇଥିଲା ସେତେବେଳେ ଦଳୀୟ ସହଯୋଗୀ ଓ ଭିଭିଆଇପିଙ୍କ ତାଳିମାଡରେ କମ୍ପି ଉଠିଥିଲା ରାଇସିନା ହିଲ୍ । ନମୋଙ୍କ ପରେ ବୋଧହୁଏ ସବୁଠୁ ଅଧିକ ତାଳି ବାଜିଥିଲା ନନାଙ୍କ ପାଇଁ । ଆଉ ଏହି ତାଳି ବାଜିବା ପଛରେ ମଧ୍ୟରେ ଅନେକ କାରଣ ରହିଛି ।

ଚଳିତ ନିର୍ବାଚନରେ ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇବା ପରେ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ଛାଇ ଯାଇଥିଲେ ଅତି ସରଳ ଜୀବନ ଯାପନ କରୁଥିବା ପ୍ରତାପ ଷଡଙ୍ଗୀ । ସ୍ନେହରେ ନନା ଭାବେ ଜଣାଶୁଣା ପ୍ରତାପ ନିର୍ବାଚନରେ ଜିତିବା ପରେ ସୋସିଆଲ ମିଡିଆର ସେନସେସନ ପାଲଟିଯାଇଥିଲେ । ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଟିଭି ସ୍କ୍ରିନ ସବୁଠି ଦେଖିବାକୁ ମିଳିଥିଲା ନନାଙ୍କ କ୍ରେଜ । କାରଣ ପ୍ରତାପଙ୍କର ଜୀବନଶୈଳୀ ଏମିତି ଥିଲା ଯାହା ସାଧାରଣ ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା । ନିର୍ବାଚନ ପୂର୍ବରୁ ନମୋଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ନିର୍ବାଚନ ପରେ ନନାଙ୍କୁ ନେଇ ସେତିକି ଚର୍ଚ୍ଚା ବଢିଥିଲା ।

ଖାସକରି ନିର୍ବାଚନ ଜିତିବା ପରେ ପ୍ରତାପଙ୍କର ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହା ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା । ତାଙ୍କର ସରଳ ଜୀବନଶୈଳୀକୁ ଦେଖି ଲୋକେ ତାଙ୍କୁ ‘ଓଡିଶାର ମୋଦି’ ବୋଲି କହିବା ଆରମ୍ଭ କରିଥିଲେ ।

ଦୁଇଥର ବିଧାୟକ ରହିଥିବା ପ୍ରତାପଙ୍କର ସାଧାରଣ ଜୀବନ ଯାପନ ହିଁ ତାଙ୍କୁ ଆଜି ଚର୍ଚ୍ଚାରେ ରଖିଛି । କେତେବେଳେ ନିଜର ଚାଳଘରକୁ ନେଇ ତ ପୁଣି କେତେବେଳେ ସାଇକେଲ ଚଳାଇ ଗାଁ ଗାଁରେ ବୁଲିବାକୁ ନେଇ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରତାପ । ନେତାଙ୍କ ଭଳି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହ ମିଶିବା ଠାରୁ ଆରମ୍ଭ କରି ପିଲାଙ୍କ ସାଙ୍ଗରେ କ୍ରିକେଟ ଖେଳି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରତାପ । ଅବିବାହିତ ରହିଥିବା ପ୍ରତାପ ନିଜର ବାଲ୍ୟବସ୍ଥାରେ ଆରଏସଏସ ସହ ଯୋଡି ହୋଇଥିଲେ । ଏପରିକି ପରବର୍ତ୍ତୀ ସମୟରେ ସନ୍ନ୍ୟାସୀ ହେବାକୁ ମନ ବଳାଇଥିଲେ । କିନ୍ତୁ ସନ୍ନ୍ୟାସୀ ହେବା ପରିବର୍ତ୍ତେ ତାଙ୍କ ମା’ଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ କିଛି ଗୁରୁଜନ ଓ ସାଧୁ । ଆଉ ଏହାପରେ ପୁଣିଥରେ ନିଜ ଗାଁକୁ ଫେରିଆସି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

ନୀଳଗିରିରୁ ଦୁଇ ଥର ବିଧାୟକ ରହିବା ପରେ ଗତ ୨୦୧୪ରେ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ପ୍ରତାପ । ତେବେ ୨୦୧୪ରେ ପରାସ୍ତ ହେବା ପରେ ୨୦୧୯ରେ ପୁଣିଥରେ ବାଲେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ପ୍ରତାପ । କିନ୍ତୁ ଏଥର ତାଙ୍କୁ ଭୋଟର ନିରାଶ କରିନଥିଲେ । ପ୍ରତିପକ୍ଷ କୋଟିପତି ହୋଇଥିଲେ ମଧ୍ୟ ଅଳ୍ପ ପୁଞ୍ଜିକୁ ସାଥୀ କରି ନିର୍ବାଚନ ବୈତରଣୀ ପାର କରିଥିଲେ ପ୍ରତାପ । ଆଉ ଯେତେବେଳେ ବାଲେଶ୍ୱର ବାଦଶାହା ପ୍ରତାପଙ୍କ ନାଁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ତାଲିକାରେ ଥିବା ଜଣାପଡିଥିଲା ସେତେବେଳେ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ପ୍ରତାପ । ପ୍ରଥମେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କ୍ୟାବିନେଟ ମନ୍ତ୍ରୀ ନେଇଥିଲେ ପଦ ଓ ଗୋପନୀୟତାର ଶପଥ । ଆଉ ଶେଷରେ ରାଷ୍ଟ୍ରମନ୍ତ୍ରୀ ମାନେ ନେଇଥିଲେ ଶପଥ । ତେବେ ଶପଥ ଗ୍ରହଣ ଉତ୍ସବ ସରି ଆସୁଥିବା ବେଳେ ରଙ୍ଗୀନ ଆଲୁଅରେ ଝଲସି ଉଠୁଥିବା ରାଇସିନା ହିଲ୍ ତାଳିମାଡରେ କମ୍ପି ଉଠିଥିଲା । ନେତାଙ୍କ ଠାରୁ ଆରମ୍ଭ କରି ଭିଭିଆଇପି ଏପରିକି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ତାଳି ମାରି ଚାଲିଥିଲେ । କିନ୍ତୁ ଏହି ତାଳି ନମୋଙ୍କ ପାଇଁ ନୁହେଁ ବରଂ ନନାଙ୍କ ପାଇଁ ଥିଲା । କାରଣ ପ୍ରଥମ ଥର ପାଇଁ ଶପଥ ନେଉଥିଲେ ଓଡିଶାର ମୋଦି ଭାବେ ଜଣାଶୁଣା ପ୍ରତାପ ଷଡଙ୍ଗୀ ।

Comments are closed.