ହାତୀକୁ ସୁରକ୍ଷା ଦେବେ ମହୁମାଛି । ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ ।

96

କନକ ବ୍ୟୁରୋ : ବିଗତ କିଛି ମାସ ଧରି ଓଡିଶାରେ ହାତୀ ମୃତ୍ୟୁର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ହାତୀ ସୁରକ୍ଷା ନେଇ ଏବେ ସରକାରଙ୍କ ଚେତା ପଶିଛି । ହାତୀ ସୁରକ୍ଷା ନେଇ ଆଜି ଶକ୍ତି ବିଭାଗ ଓ ରେଳ ଅଧିକାରୀଙ୍କର ମିଳିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହାତୀ ସୁରକ୍ଷା ନେଇ ଅନେକ ଆଲୋଚନା କରାଯାଇଥିଲା ।

ହାତୀ ସୁରକ୍ଷା ପାଇଁ ଏଣିକି ଏକ ଅଭିନବ ପନ୍ଥା ଆପଣେଇବାକୁ ଯାଉଛନ୍ତି ଶକ୍ତି ବିଭାଗ ଏବଂ ରେଳବିଭାଗ । ରେଳ ଧାରଣାରେ ଲାଗିବ ମେସିନ୍ । ମହୁମାଛି ଭଳି ଶବ୍ଦ କରୁଥିବା ମେସିନ ରେଳଧାରଣା ଗୁଡିକରେ ଲଗାଯିବ । ଏହି ମେସିନରୁ ମହୁମାଛି ଗୁଣୁଗୁଣୁ କରୁଥିବା ଶବ୍ଦ ବାହାରିବ । ଯେଉଁ ଶବ୍ଦ ଶୁଣି ହାତୀମାନେ ଆଉ ରେଳଧାରଣା ପାଖକୁ ଆସିବେ ନାହିଁ । ଏପରି ଦ୍ୱାରା ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ଅତିରିକ୍ତ ପସିିସିିଏଫ୍ ସୁଦର୍ଶନ ପଣ୍ଡା କହିଛନ୍ତି ।

ସୂଚନା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ । ଯାହାକୁ ପାଇଲଟ୍ ପ୍ରୋଜେକ୍ଟ ନାମରେ ନାମିତ କରାଯାଇଛି । ସେହିପରି ଝୁଲୁଥିବା ତାର ଗୁଡିକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଜଡାଯିବା ନେଇ ନିଷ୍ପତ୍ତି ହୋଇଛି । ହାତୀ ମାନଙ୍କର ଚଲାପଥରେ ନିୟମ କଡାକଡି କରି ରେଳ ଚଳାଇବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ସେପଟେ ପାଇଲଟ୍ ପ୍ରୋଜେକ୍ଟରେ ମହୁମାଛି ଶବ୍ଦ କରୁଥିବା ମେସିନ୍ ପାଇଁ ଜାଗା ଚିହ୍ନଟ କରିବା ପାଇଁ ଝାରସୁଗୁଡା, କେନ୍ଦୁଝର ଓ ଢେଙ୍କାନାଳ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଉଦ୍ଧ୍ୱର୍ ସ୍ଥାନରେ ଓହଳି ପଡିଥିବା ତାରକୁ ସଜଡା ସରିଲାଣି । ଏନେଇ ବୈଠକ ପରେ ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି ।