ମଧ୍ୟପ୍ରଦେଶରେ ମଉଳିଲା ପଦ୍ମ ! କଂଗ୍ରେସକୁ ସମର୍ଥନ ଜଣାଇଲେ ବିଏସପି ସୁପ୍ରିମୋ ମୟାବତୀ, ସରକାର ଗଢ଼ିବ କଂଗ୍ରେସ

୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ ମାତ୍ର ୨ଟି ଆସନ ଆବଶ୍ୟକ ଥିବାବେଳେ ବଡ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।

465

କନକ ବ୍ୟୁରୋ: ଶେଷରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ନେଇ ବାଟ ଫିଟିଲା । କାରଣ ମଧ୍ୟ ପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସପି । ଏନେଇ ବିଏସପି ସୁପ୍ରିମୋ ମାୟାବତୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ ମାତ୍ର ୨ଟି ଆସନ ଆବଶ୍ୟକ ଥିବାବେଳେ ବଡ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେ କହିଛନ୍ତି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସକୁ ତାଙ୍କ ଦଳ ସମର୍ଥନ କରିବ । ମଧ୍ୟପ୍ରଦେଶରେ ବିଏସପିର ୨ଜଣ ବିଧାୟକ ବିଜୟୀ ହୋଇଛନ୍ତି । ତେଣୁ ଏହି ୨ଜଣଙ୍କ ସମର୍ଥନ ସହ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁବାକୁ ସକ୍ଷମ ହେବ ।

୨୩୦ ଆସନରୁ ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ । ସେହିପରି ବିଜେପି ୧୦୯ ଆସନ ଦଖଲ କରିବାରେ ସକ୍ଷମ ହୋଇଛି । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି ।
ବିପୁଳ ସମର୍ଥନ କରିଥିବାରୁ ମଧ୍ୟପ୍ରଦେଶର କଂଗ୍ରେସ ସଭାପତି କମଳନାଥ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ ସରକାର ଗଢ଼଼ିବାକୁ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । ରାଜ୍ୟପାଳ ଅପରହ୍ନରେ କଂଗ୍ରେସକୁ ଭେଟି ପାରନ୍ତି ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୧୬ ହୋଇଥିବାବେଳେ କଂଗ୍ରେସ ୧୧୪ଟି ଆସନ ଦଖଲ କରିଛି । ବିଏସପିର ୨ଜଣ ସମର୍ଥନ କରିବେ ବୋଲି ମାୟାବତୀ ଘୋଷଣା କରିଛନ୍ତି । ସେହିପରି ଅଖିଳେଶଙ୍କ ସପା ଗୋଟିଏ ଆସନ ପାଇଥିବାରୁ ସେ ମଧ୍ୟ କଂଗ୍ରେସକୁ ସମର୍ଥନ କରିଛନ୍ତି । ତେଣୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ମଧ୍ୟପ୍ରଦେଶରେ ୧୧୪ଟି ଆସନ ପାଇ ଆଗରେ ରହିଛି କଂଗ୍ରେସ । ବିଜେପି ଖାତାକୁ ଯାଇଛି ୧୦୯ଟି ସିଟ୍ । ରାଜ୍ୟପାଳଙ୍କ ଅଫିସ ଉପରେ ରହିଛି ସମସ୍ତଙ୍କ ନଜର ।