ନନ୍ଦନକାନନରେ ବାର୍ଡ ଫ୍ଲୁ ଆତଙ୍କ ! ଆଖପାଖରେ କାଉ ମରିବା ପରେ ଆତଙ୍କିତ ଲୋକେ
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଖ ପାଖ ଅଞ୍ଚଳରେ କାଉ ମରି ପଡ଼ିଥିବା ଦେଖାଯାଇଛି
କନକ ବ୍ୟୁରୋ : ପୁରୀରେ ବାର୍ଡ ଫ୍ଲୁ ସୂଚନା ମିଳିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଆତଙ୍କ ଲାଗି ରହିଛି । କେବଳ ପୁରୀ ନୁହେଁ ବରଂ ଚିଲିକା, ରାଉରକେଲା ଆଦି ଅନେକ ସ୍ଥାନରେ ପକ୍ଷୀ ମଡକ ଦେଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଖ ପାଖ ଅଞ୍ଚଳରେ କାଉ ମରି ପଡ଼ିଥିବା ଦେଖାଯାଇଛି। ସ୍ଥାନୀୟ ଦାରୁଠେଙ୍ଗ, ନନ୍ଦନକାନନ ବସଷ୍ଟାଣ୍ଡ, ବରଛକ ଆଦି ସ୍ଥାନରେ କାଉ ମରି ପଡ଼ିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କାଉଗୁଡ଼ିକ ବାର୍ଡ ଫ୍ଲୁ ଯୋଗୁ କି ଅନ୍ୟ କାରଣରୁ ମରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟପକ୍ଷରେ ନନ୍ଦନକାନନରେ ବହୁ ସଂଖ୍ୟାରେ ପକ୍ଷୀ ରହୁଥିବାରୁ ସେଠାରେ ବାର୍ଡ ଫ୍ଲୁ ଭୟ ଦେଖାଯାଇଛି। ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନନ୍ଦନକାନନ କର୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି।
ନନ୍ଦନକାନନରେ ଗେଣ୍ତାଳିଆ, କାଉ, ବଗ, ମାଛରଙ୍କା ଆଦି ପକ୍ଷୀ ରହୁଥିବା ବେଳେ କାଞ୍ଜିଆ ହ୍ରଦ ପାଇଁ ବହାରୁ ଅନ୍ୟ ବିଦେଶୀ ପକ୍ଷୀ ମଧ୍ୟ ଆସିଥାନ୍ତି। ଏହାସହ ଏଠାରେ ଆସୁଥିବା ଅନେକ ବିଦେଶୀ ପକ୍ଷୀମାନଙ୍କୁ ଲୋକମାନେ ଦେଖିବା ପାଇଁ ଆସିଥାଆନ୍ତି । ତେଣୁ ଯଦି ବାର୍ଡ ଫ୍ଲୁ ରେ ପକ୍ଷୀ ମଡକ ହୋଇଥାଏ । ତେବେ ଏହା ଅନେକ ସ୍ଥାନକୁ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି । ତେଣୁ କେଉଁ ପରିସ୍ଥିତିରେ ପକ୍ଷୀନ ମଡକ ହୋଇଛି ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବୀ ହୋଇଛି ।