ବାତ୍ୟା ‘ପେଥାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : କଳାହାଣ୍ଡିରେ ମୁକୁଳା ପଡିଛି ଧାନମଣ୍ଡି, ଅମଳ ଧାନକୁ ନେଇ ଚିନ୍ତାରେ ଚାଷୀ

125

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପେଥାଇରେ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ହେଉଛି । ଏହି ସମୟରେ ମୁକୁଳାପଡିଚି ଧାନମଣ୍ଡି । କଳାହାଣ୍ଡି ଓ ସମ୍ବଲପୁରରେ ସ୍ଥିତି ପରିଖିଛି କନକ ନ୍ୟୁଜ ଟିମ୍ । ଆଉ ବର୍ଷା ଯୋଗୁଁ  ଚିନ୍ତାରେ ଚାଷୀ । ନିଜର ଧାନ ଫସଲକୁ  ବର୍ଷା ଦାଉରୁ ରକ୍ଷା କରିବା ପାଇଁ  ଚାଷୀ ଆପ୍ରାଣ ଚେଷ୍ଟା କରୁଛି ।  ମଣ୍ଡିରେ ରଖିଥିବା ଧାନକୁ  ଘୋଡାଇ ରଖିଥିବାବେଳେ ମଧ୍ୟ  ବର୍ଷା ଦାଉରୁ ମଧ୍ୟ ରକ୍ଷା କରିପାରିନାହିଁ । କିଛି ମଣ୍ଡିରେ ଉଜୁଡିଯାଇଛି ଧାନ । ବିଶେଷକରି ଧର୍ମଗଡ ସବଡିଭିଜନର ଅଧିକାଂଶ ମଣ୍ଡିରେ ଏଭଳି ପରିସ୍ଥିତି ଉପୁଜିଛି । ଅଧିକାଂଶ ମଣ୍ଡିରେ ଅଳ୍ପବହୁତ ଏଭଳି ସ୍ଥିତି  ରହିଛିା  ସମ୍ବଲପୁରରେ ମଧ୍ୟ ସେହି ଏକା ଅବସ୍ଥା । ବିଲ ଓ ଖଳାରେ ଥିବା ଫସଲ ପ୍ରାୟ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି କରିଛି ।

ସାମୁଦ୍ରକ ଝଡ ପ୍ରଭାବରେ ଓଡିଶାର ୧୧ଟିି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । କେତେକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସମ୍ବଲପୁରରେ ଆଜି ସକାଳୁ ବର୍ଷା ହେଉଛି ।

ସେପଟେ, ଆନ୍ଧ୍ରକୁ ଆସୁଛି ପେଥାଇ । ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟ୍ରମ୍ ଉତର ଓ ଉତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ବାତ୍ୟା ମଛଲିପଟନମ୍ ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କାକିନାଡା ଠାରୁ ୩୩୦ କିଲୋମିିଟର ଦୂରରେ ରହିଛି ।

ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ଆଗରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ପେଥାଇ ସ୍ଥଳଭାଗ ଛୁଇଁବା ସମୟରେ ବର୍ଷା ପବନ ହୋଇପାରେ । ପ୍ରାୟ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।