ରାଜଧାନୀ ଭୁବନେଶ୍ୱରରେ ହଠାତ ଦବିଗଲା ରାସ୍ତା ! ୧୦ଫୁଟ ଗାତ ଭିତରକୁ ଖସିଗଲା କଲେଜ ବସ୍, ଲୋକଙ୍କ ଭିତରେ ଛନକା

31

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାର ଯଦି ଆପଣ କାହାକୁ ଉଦାହରଣ ଦେଉଥିବେ, ତେବେ ଆଜିର ଘଟଣା ଆପଣଙ୍କୁ ଥରୁଟିଏ ଭାବିବାକୁ ବାଧ୍ୟ କରିବ । ରାଜଭବନ ନିକଟରେ ଭୁବନେଶ୍ୱରର ଭିଆଇପି ଅଂଚଳ ପାୱାର ହାଉସ ଛକରେ ହଠାତ୍ ଆଜି ଦବିଯାଇଥିଲା ରାଜରାସ୍ତା । କଲେଜ୍ ବସ୍ ବି ଖସିଯାଇଥିଲା ଗାତ ଭିତରେ । ଲୋକେ ଏସବୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ ।

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ୧୦ ଫୁଟର ଗାତ । ଦବିଗଲା ରାଜଧାନୀର ପକ୍କା ରାସ୍ତା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଦେଶର ୧ ନମ୍ବର ସହରରେ ଦେଖିବାକୁ ମିଳିଛି ଏପରି ଏକ ଦୃଶ୍ୟ । ମଝି ରାସ୍ତାରେ ମଣିଷ ବୁଡିଗଲା ଭଳି ବିରାଟ ଗାତ । ଆଉ ଏହି ରାସ୍ତା ଥିଲା ରାଜଧାନୀର ହାଇପ୍ରୋଫାଇଲ୍ ପାୱାର ହାଉସ ଅଂଚଳର । ଯାହା ଯୋଡି ହୋଇଛି ରାଜଭବନ ରାସ୍ତା ସହ । ରାଜଧାନୀର ଏହି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା ଯେତେବେଳେ ଗୋଟିଏ କଲେଜ୍ ବସ୍ ଅଟକିଥିଲା ରାସ୍ତା ଉପରେ । ଚକା ତଳୁ ଧିରେ ଧିରେ ମାଟି ଧସୁଥିଲା । ଆଉ ଆରମ୍ଭ ହୋଇଯାଇଥିଲା ପାଣି ବୋହିବା । ତେବେ ଡ୍ରାଇଭର ଚତୁରତାର ସହ ବସ୍କୁ ଗାତ ଭିତରୁ ବାହାର କରିନେଇଥିଲେ । ତାପରେ ରାସ୍ତା ଉପରେ ଚାଲିଲା ପାଣିର ସ୍ରୋତ ।

ବିଦ୍ୟୁତ୍ କରଣ ପାଇଁ ସ୍ଥାନୀୟ ଅଂଚଳରେ ରାସ୍ତା ଖୋଳୁଥିଲା ଓପିଟିସିଏଲ୍ । ଏହି ସମୟରେ ରାସ୍ତା ତଳେ ଥିବା  ପାଇପ୍ ଫାଟିଯାଇଥିଲା । ଆଉ ପାଣି ବୋହିବା ଯୋଗୁଁ ଧସିଯାଇଥିଲା ରାଜଧାନୀର ପକ୍କା ରାସ୍ତାଟି । ଘଂଟାଏ ଧରି ରାସ୍ତା ଉପରେ ଖେଳିଗଲା ଆତଙ୍କ । ରାଜରାସ୍ତାରେ ବୋହି ଚାଲିଲା ପାଣିର ସ୍ରୋତ । ତାପରେ ଆରମ୍ଭ ହୋଇଥିଲା ରାସ୍ତା ସଜଡା କାମ । ବାଲି ପକାଇ ରାସ୍ତା ଠିକ୍ କରାଯାଇଥିଲା ।