ଓଡିଶା ଆସିବେ ଦିଦି ! ମମତା ବାନାର୍ଜୀଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା

32

କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୧୮ରେ ମମତା ଓଡିଶା ଆସିବା ନେଇ ସୂଚନା ମିଳିଛି । ଏନେଇ କମିଶନରେଟ ପୁଲିସକୁ କୋଲକାତା ପୁଲିସ ମୁଖ୍ୟାଳୟରୁ ଚିଠି ମଧ୍ୟ ମିଳିସାରିଛି । ମିଳିଥିବା ସୂଚନା ଅନୁସାରେ, ମମତାଙ୍କ ଆସିବା ପୂର୍ବରୁ କୋଲକାତାର ସିକ୍ୟୁରିଟି ୱିଙ୍ଗ ଆସନ୍ତାକାଲି ଭୁବନେଶ୍ୱରରେ ପହଂଚି ମମତାଙ୍କ ଗସ୍ତସ୍ଥଳ ପରିଦର୍ଶନ କରିବ । ୧୮ ତାରିଖରେ ମମତା ପୁରୀ ଯାଇ ଜଗନ୍ନାଥଂକୁ ଦର୍ଶନ କରିବେ ।

ପରେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ସାଂସଦଙ୍କୁ ଝାରପଡା ଜେଲରେ ମଧ୍ୟ ଭେଟି ପାରନ୍ତି । ସେହିପରି ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦଳୀୟ ଏମପିଙ୍କୁ ବି ସେ ଭେଟି ପାରନ୍ତି । କିଛିଦିନ ତଳେ, ଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ମମତା । ଟ୍ୱିଟ୍ କରି ନବୀନଙ୍କୁ ସାକ୍ଷାତ ସମୟର ଖୁସି ବା ଜାହିର କରିଥିଲେ । ହେଲେ ଏବେ ଓଡିଶା ଆସୁଥିବା ମମତା, ନବୀନଙ୍କୁ ଭେଟିବେ କି ନାହିଁ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।