ମହାନଦୀ ପାଣିକୁ ନେଇ ତେଜିଲା କଳି : ପ୍ରଥମ ଥର ଲାଗି ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କଡ଼ା ଜବାବ ଦେବା ସହ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ପ୍ରତି ବିନ୍ଦୁ ପାଣିରେ ଛତିଶଗଡର ଅଧିକାର ରହିଛି ବୋଲି ରମଣ ସିଂହଙ୍କ ମନ୍ତବ୍ୟକୁ କଠୋର ଭାଷାରେ ନିନ୍ଦା କରିଛନ୍ତି ନବୀନ । ସେ କହିଛନ୍ତି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାଷାରେ କଥା ହେଉଛନ୍ତି, ତାହା ଆନ୍ତଃରାଜ୍ୟ ଜଳ ବଂଟନ ନିୟମର ପରିପନ୍ଥୀ । ଏଭଳି ମନ୍ତବ୍ୟ ସଂଘୀୟ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛି ବୋଲି କହିଛନ୍ତି ନବୀନ । ନବୀନ କହିଛନ୍ତି ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀ ପାଇଁ ଶେଷ ନିଃଶ୍ୱାସ ଯାଏଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।