ଜେଲରେ କଟିବ ଲାଲୁ ଯାଦବଙ୍କ ବାକି ଜୀବନ ! ଚତୁର୍ଥ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ୧୪ବର୍ଷର ସଜା ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

33

କନକ ବ୍ୟୁରୋ : ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବାକିତକ ଜୀବନ କଟିପାରେ ଜେଲର ଚାରିକାନ୍ଥ ଭିତରେ । କାରଣ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଜି ସ୍ୱତନ୍ତ୍ର ସବିଆଇ କୋର୍ଟ ତାଙ୍କୁ ସର୍ବାଧିକ ୧୪ ବର୍ଷର ସଜା ଶୁଣାଇଛନ୍ତି । ରାଂଚି ଦୁମକା କୋଷାଗାରରୁ ୩କୋଟି ୧୩ ଲକ୍ଷ ଟଙ୍କା ହଡପ ମାମଲାରେ ଉଭୟ ଆଇପିସି ଓ ପିସି ଆକ୍ଟରେ ତାଙ୍କୁ ୭ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି । ପ୍ରାୟ ୯ଶହ ୫୦କୋଟି ଚାରା ଘୋଟାଲାରୁ ଆଉ ଗୋଟିଏ ମାମଲାରେ ଶୁଣାଣି ବାକି ଅଛି । ସେପଟେ କୋର୍ଟଙ୍କ ରାୟ ପରେ, ଜେଲ ଭିତରେ ଲାଲୁଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ପୁଅ ତେଜଶ୍ୱୀ ଯାଦବ । ଲାଲୁଙ୍କ ଫସାଇବା ପଛରେ ବିଜେପିର ଷଡଯନ୍ତ୍ର ଥିବା କଥା ପୁଣି ଦୋହରାଇଛନ୍ତି ।

ଗୋ-ଖାଦ୍ୟ ନାଁରେ ମିଛ କମ୍ପାନି ଖୋଲି ବିହାରର ବିଭିନ୍ନ ସରକାରୀ କୋଷାଗାରରୁ ହଡପ କରାଯାଇଥିଲା କୋଟି କୋଟି ଟଙ୍କା । ପଶୁଙ୍କ ପାଇଁ ଖାଦ୍ୟ, ଔଷଧ ଓ ପଶୁପାଳନ ସରଞ୍ଜାମ କିଣା ନାଁରେ ପ୍ରାୟ ୯ଶହ ୫୦କୋଟି ଟଙ୍କାର ଦୁର୍ନୀତି ୯୦ ଦଶକରେ ଚହଳ ପକାଇଥିଲା ସାରା ଭାରତରେ । ଯାହା ୨୨ବର୍ଷ ପରେ ବି ଦେଶର ଏକ ବଡ ଦୁର୍ନୀତି ଭାବେ ଗଣାଯାଉଛି । ସେହି ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ଲାଲୁ ଯାଦବଙ୍କୁ ସୋମବାର ଦିନ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶନିବାର ସଜା ଶୁଣାଇଛନ୍ତି । ବିହାର ରାଂଚିର ଦୁମକା କୋଷାଗାରରୁ ୩କୋଟି ୧୩ ଲକ୍ଷ ଟଙ୍କା ହଡପ ମାମଲାରେ ମୋଟ ୧୪ ବର୍ଷର ସଜା ଶୁଣାଇଛନ୍ତି ସ୍ୱତନ୍ତ୍ର ସିବିଆଇ

– ଭାରତୀୟ ପିଙ୍ଗଳ କୋର୍ଡ-ଆଇପିସିରେ ୭ବର୍ଷ ଜେଲ ଦଣ୍ଡାଦେଶ
– ଦୁର୍ନୀତି ନିରୋଧୀ ଆଇନ- ପିସି ଆକ୍ଟରେ ୭ବର୍ଷ ଜେଲ ଦଣ୍ଡାଦେଶ
– ଦୁଇଟି ଦଫାରେ ୩୦ ଲକ୍ଷ ଲେଖାଏଁ ୬୦ ଲକ୍ଷ ଟଙ୍କାର ଜରିମାନା
– ଜରିମାନା ଅନାଦେୟ ହେଲେ ୨ ଦଫାରେ ଅତିରିକ୍ତ ୨ବର୍ଷ ଜେଲ

ଗୋଖାଦ୍ୟ ଦୁର୍ନୀତିକୁ ନେଇ ମୋଟ ୫ଟି ମାମଲା ମଧ୍ୟରୁ ଚତୁର୍ଥ ମାମଲାରେ ୧୪ବର୍ଷ ସଜା ଶୁଣାଇଛନ୍ତି କୋର୍ଟ । ଏବେ ବାକିଅଛି ଦୋରନ୍ଦା କୋଷାଗାରରୁ ୧୩୯ କୋଟି ହଡପ ମାମଲା । ଯେଉଁଥିରେ ଆହୁରି ଅଧିକ ବର୍ଷ ସଜା ଦେଇପାରନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଗୋଟିଏ ପରେ ଗୋଟିଏ ମାମଲାରେ ଲାଲୁ ଯାଦବଙ୍କ ସଜା ବଢିବଢି ଚାଲିଥିବାବେଳେ ପରିବାରର ନିଶାନାରେ ବିଜେପି । ଲାଲୁଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବଙ୍କ ଅଭିଯୋଗ ଲାଲୁଙ୍କ ଫସାଇବା ପାଇଁ ସଡଯନ୍ତ୍ରରେ ସଫଳ ହୋଇଛି ବିଜେପି । ଏଥିସହ ଜେଲ ଭିତରେ ଲାଲୁଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି ତେଜସ୍ୱୀ ।

ନବେ ଦଶକରେ ଅବିଭକ୍ତ ବିହାରରେ କୋଟି କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ହୋଇଥିବା ନେଇ ଆସିଥିଲା ଅଭିଯୋଗ । ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୧୯୯୬ରେ ସିବିଆଇ ନିକଟକୁ ଆସିଥିଲା ମାମଲା । ଆଉ ୧୯୯୭ ମସିହାରେ ଏହି ମାମଲାରେ ତକ୍ରାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସମେତ ୫୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାୟର କରିଥିଲା ସିବିଆଇ । ବାରମ୍ବାର ଜେଲ ଯାଇ ଜାମିନରେ ମୁକୁଳିଥିବା ଲାଲୁ ଏଥର କିନ୍ତୁ ଆଉ ଜେଲରୁ ମୁକୁଳିବା ମୁସ୍କିଲ ମନେ ହେଉଛି ।