୪୮ ଘଂଟା ମଧ୍ୟରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରହସ୍ୟ ! ମହାପ୍ରଭୁଙ୍କ ଭଣ୍ଡାର ଘରକୁ ନେଇ କଳ୍ପନା ଜଳ୍ପନା

88

କନକ ବ୍ୟୁରୋ : ଆଉ ମାତ୍ର ୪୮ ଘଂଟା ପରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ । ବର୍ଷ ବର୍ଷ ଧରି ରହସ୍ୟ ହୋଇ ରହିଥିବା ରତ୍ନଭଣ୍ଡାର ଖେଲିବା ସମୟ ଯେତିକି ପାଖେଇ ଆସୁଛି, ଶ୍ରୀମନ୍ଦିର ସେବାୟତଙ୍କ ପ୍ରତିବାଦ ସେତିକି ଜୋର ଧରୁଛି । ଜଣେ ବରିଷ୍ଠ ସେବାୟତ ଏହାର ପ୍ରତିବାଦ କରି ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି । ଏପରିକି ସେ ଇଚ୍ଛାମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନକୁ ଆବେଦନ କରିଛନ୍ତି । ତେବେ ଏହାରି ଭିତରେ ରତ୍ନ ଭଣ୍ଡାରର ରହସ୍ୟକୁ ନେଇ ସାଧାରଣରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ଦିନ ଭଣ୍ଡାର ଘର ଖୋଲିପାରେ ପ୍ରତ୍ନତତ୍ତ୍ୱ ବିଭାଗ । ଗୋଟିଏ ପଟେ ରତ୍ନଭଣ୍ଡାରର ସ୍ଥିତି ଯାଂଚ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ବଢିଚାଲିଛି ସେବାୟତଙ୍କ ଅସନ୍ତୋଷ । ରତ୍ନଭଣ୍ଡାର ଖୋଲାକୁ ବିରୋଧ କରି ଇଚ୍ଛାମୃତ୍ୟୁ ପାଇଁ ଉପଜିଲ୍ଲାପାଳକୁ ଆବେଦନ କରିଛନ୍ତି ବରିଷ୍ଠ ସେବାୟତ ନରସିଂହ ପୂଜାପଣ୍ଡା । ଶେଷ ଥର ପାଇଁ ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗର ଏହି ପ୍ରୟାସ ସଫଳ ହୋଇନଥିଲା । ଫଳରେ ଅଧାରେ ରହିଥିଲା ଏହି ଉଦ୍ୟମ ।

Ratna bhandar

ଶୁଣିବାକୁ ମିଳେ, ବହୁଦ୍ୱାର ବିଶିଷ୍ଟ ମହାପ୍ରଭୁଙ୍କ ଏହି ରତ୍ନଭଣ୍ଡାର ଖୋଲିବା ସମୟରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମନା କରିଥିଲା ପ୍ରତ୍ନତତ୍ତ୍ୱ ବିଭାଗ । ଏହା ସହ ମଧ୍ୟ ଯୋଡା ହୋଇ ରହିଛି ରହସ୍ୟମୟ କାହାଣୀ । କୁହାଯାଏ, ଗୋଟିଏ ଦୁଇଟି ଦ୍ୱାର ଖୋଲିବା ପରେ ବିଷଧର ସାପଙ୍କ ଭୟଙ୍କର ଗର୍ଜନ ଶୁଣିଥିଲେ ପ୍ରତ୍ନତତ୍ତ୍ୱ କର୍ମଚାରୀ । ଏହା ପରେ ପଛଘୁଂଚା ଦେଇଥିଲେ କର୍ମଚାରୀ ଓ ଖୋଲିବା କାମ ବନ୍ଦ କରାଯାଇଥିଲା । ତେବେ ରତ୍ନଭଣ୍ଡାର ସହ ଯେତିକି କାହାଣୀ ଯୋଡା ହୋଇଛି, ତାହା କେବଳ ଲୋକକଥା । ଏହାକୁ ନେଇ କୌଣସି ପ୍ରମାଣ ଏପର୍ଯ୍ୟନ୍ତ କାହା ପାଖରେ ନାହିଁ । ଶ୍ରୀମନ୍ଦିରର ଅଲୌକିକ କାହାଣୀ ଭିତରୁ ରତ୍ନଭଣ୍ଡାର ସଂପର୍କରେ ଯାହା କୁହାଯାଏ ତାହା ସବୁଠାରୁ ରହସ୍ୟମୟ । ଲୋକକଥା ଅନୁସାରେ ସ୍ୱଂୟ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା, ଶ୍ରୀଜୀଉଙ୍କ ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ।

ରତ୍ନଭଣ୍ଡାରକୁ ନେଇ ରହିଛି ଅନେକ ରହସ୍ୟ । କିଛି ଗବେଷକ କୁହନ୍ତି, ରତ୍ନଭଣ୍ଡାରରେ ରହିଛି ୭ଟି ଗୃହ । ୩ଟି ଗୃହରେ ମହାପ୍ରଭୁଙ୍କ ଅଳଙ୍କାର ଗଚ୍ଛିତ ରହିଛି, ଯାହା ମହାପ୍ରଭୁଙ୍କ ସୁନାବେଶ ପାଇଁ ବ୍ୟବହାର ହୋଇଥାଏ । ଅନ୍ୟ ୪ଟି ଘରେ କ’ଣ ରହିଛି, ଏହି ବିଷୟରେ କିଛି ସ୍ପଷ୍ଟ ସୂଚନା ନାହିଁ । ତେବେ ଶ୍ରୀମନ୍ଦିର ରେକର୍ଡସ୍ ଅଫ୍ ରାଇଟସ ଅନୁସାରେ ବାହାର ଭଣ୍ଡାରରେ ୧୫୦ ପ୍ରକାର ସୁନା ଅଳଙ୍କାର ରହିଛି । ଆଉ ଭିତର ଭଣ୍ଡାରରେ ୧୮୦ ପ୍ରକାର ସୁନା, ରୁପା ଅଳଙ୍କାର ରହିଛି । ସେଥିରୁ ୧୦୦ ତୋଳା ୭୪ ପ୍ରକାର ଖାଂଟି ସୁନା ଅଳଙ୍କାର ରହିଛି । ଏହା ସହ ରହିଛି ହୀରା, ମୋତି, ମାଣିକ୍ୟ ଭଳି ମୂଲ୍ୟବାନ ଧାତୁର ଅଳଙ୍କାର । ସେପଟେ ମାଦଳା ପାଂଜିର ବର୍ଣ୍ଣନା ଅନୁସାରେ ଅଢ଼େଇ ଲକ୍ଷ ମଢ଼ା ସୁନା ଦାନ କରିଥିଲେ ରାଜା ଅନଙ୍ଗ ଭୀମଦେବ । ଯାହାର ଓଜନ ପାଖାପାଖି ୧୫ କ୍ୱିଂଟାଲ । ସେହପରି ଗଜପତି କପିଳେନ୍ଦ୍ର ଦେବ ଓ ଅନ୍ୟ ରାଜାମାନେ ମଧ୍ୟ ବିପୁଳ ସୁନା ଦାନ କରିଥିବା କୁହାଯାଏ । ୧୯୨୬ ମସିହାରେ ଗଜପତି ରାମଚନ୍ଦ୍ର ଦେବ ଅଭିଷିକ୍ତ ହେବା ପରେ ଏହି ଅଳଙ୍କାର ଓ ମୂଲ୍ୟବାନ ସଂପତ୍ତିର ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର କାଢ଼ିବା ଓ ରଖିବା ପାଇଁ ରହିଛି ସ୍ୱତନ୍ତ୍ର କଟକଣା । ରତ୍ନଭଣ୍ଡାରର ଚାବି ୩ ଜଣଙ୍କ ପାଖରେ ରହିଥାଏ । ପୁରୀ ଗଜପତିଙ୍କ ପାଖରେ ଗୋଟିଏ ଚାବି ରହୁଥିବା ବେଳେ ଅନ୍ୟ ଦୁଇଟି ଚାବି ରହିଥାଏ ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କ ନିକଟରେ । ନୀତିକାନ୍ତି ବେଳେ ଶ୍ରୀମନ୍ଦିର କମାଣ୍ଡର ନୋଟିସ କରିବା ପରେ ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ଗହଣା କଢ଼ାଯାଏ ଓ ପୁଣି ପୂର୍ବ ସ୍ଥାନରେ ରଖି ଦିଆଯାଏ ।