ଗୋଖାଦ୍ୟ ଦୁର୍ନୀତି ନେଲା ଲାଲୁଙ୍କ ବାର୍ଦ୍ଧକ୍ୟ : ଜାଣନ୍ତୁ ଏହି ମାମଲା କିଭଳି ପ୍ରଭାବିତ କରିଥିଲା ଜାତୀୟ ରାଜନୀତିକୁ

36

କନକ ବ୍ୟୁରୋ : ୨୨ ବର୍ଷର ତଳର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତେବେ ଏହି ମାମଲାରେ ଯେତେବେଳେ ସିବିଆଇ ଚାର୍ଜସିଟି ଦାୟର କରିଥିଲା । ପୂରା ଦେଶରେ ଚହଳ ପଡିଯାଇଥିଲା । କାରଣ ଲାଲୁ ଥିଲେ କିଙ୍ଗମେକର, ଭାରତର ରାଜନୀତିରେ ବେଶ୍ ପ୍ରଭାବଶାଳୀ ନେତା । ଏପରିକି ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ସରକାର ଲାଲୁଙ୍କ ସମର୍ଥନ ବିନା ତିଷ୍ଠିବା ସମ୍ଭବ ନଥିଲେ । ତେବେ ପାଟନା ହାଇକୋର୍ଟଙ୍କ ନଜର ଓ ଦଳ ଭିତରେ ଏହାକୁ ନେଇ ବଢୁଥିବା ଅସନ୍ତୋଷ ଯୋଗୁଁ ଏହି ମାମଲାରୁ ଖସି ପାରନଥିଲେ ଲାଲୁ । ଦେଖିବା ଦୁଇ ଦଶନ୍ଧି ଧରି ଏହି ମାମଲା କିଭଳି ପ୍ରଭାବ ପକାଇଥିଲା ଦେଶର ରାଜନୀତି ଉପରେ ।

୧. ଅଶୀ ଓ ନବେ ଦଶକରେ ଅବିଭକ୍ତ ବିହାରରେ ପ୍ରାୟ ୯୫୦ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ହୋଇଥିବା ନେଇ ଆସିଥିଲା ଅଭିଯୋଗ । ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୧୯୯୬ ମସିହାରେ ସିବିଆଇ ନିକଟକୁ ଆସିଥିଲା ମାମଲା । ୧୯୯୭ ମସିହାରେ ଏହି ମାମଲାରେ ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସମେତ ୫୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାୟର କରିଥିଲା ସିବିଆଇ ।

୨. ୧୯୯୭ରେ ଏଚଡି ଦେବେଗୌଡାଙ୍କୁ ହଟାଇ ଆଇକେ ଗୁଜରାଲଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଥିଲା ଲାଲୁଙ୍କ ପ୍ରମୁଖ ଭୂମିକା । କୁହାଯାଏ ସିବିଆଇ ପଂଝାରୁ ଖସିବା ପାଇଁ ଲାଲୁ, ଦେବେଗୌଡାଙ୍କୁ ହଟାଇବା ପାଇଁ କରିଥିଲେ ଷଡଯନ୍ତ୍ର । ହେଲେ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ ମଧ୍ୟ ଲାଲୁଙ୍କୁ ଏହି ମାମଲାରେ କିଛିି ସାହାଯ୍ୟ କରିପାରିନଥିଲେ ।

୩. କାରଣ ଏହି ମାମଲା ଉପରେ ତୀକ୍ଷ୍ଣ ନଜର ରଖିଥିଲେ ପାଟନା ହାଇକୋର୍ଟ । ସେପଟେ ଜନତା ଦଳ ଭିତରୁ ମଧ୍ୟ ଗୁଜରାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡୁଥିଲା । ଫଳରେ ବାଧ୍ୟ ୧୯୯୭ ମସିହା ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଲାଲୁ । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରିଥିଲା ସିବିଆଇ ।

୪. ରାଜନୀତିରେ ବେଶ ପ୍ରବୀଣ ଲାଲୁ ପ୍ରସାଦ ଯାଦବ ଏହା ପୂର୍ବରୁ କିପରି ନିଜ ପରିବାରରେ ବିହାର ଶାସନକୁ ରଖିପାରିବେ, ସେ ନେଇ ବ୍ୟବସ୍ଥା କରିସାରିଥିଲେ । ଜନତା ଦଳକୁ ଭାଙ୍ଗି ଆରଜେଡି ଗଠନ କରି ନିଜେ ରହିଥିଲେ ତାର ଅଧ୍ୟକ୍ଷ । ଲାଲୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ପତ୍ନୀ ରାବଡି ଦେବୀ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।

୫. ତେବେ ଲାଲୁଙ୍କ କୌଣସି ଚଂଚକତା, ଏହି ମାମଲାରୁ ତାଙ୍କୁ ଖସାଇ ପାରିନଥିଲା । ତୀବ୍ର କଂଗ୍ରେସ ବିରୋଧୀ ହୋଇଥିଲେ ବି କେବଳ ସିବିଆଇ କବଳରୁ ଖସିଯିବା ପାଇଁ ୟୁପିଏରେ ସାମିଲ ହୋଇ ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ ଲାଲୁ ।

୬. ଶେଷରେ ଗୋ ଖାଦ୍ୟ ଦୁର୍ନୀତି ନେଇ ଲାଲୁଙ୍କ ବିରୋଧରେ ୫ଟି ମାମଲା ଚାଲିଥିଲା । ଦୁଇଟି ମାମଲାରେ ରାୟ ପ୍ରକାଶ ପାଇସାରିଛି । ଏବେ ବି ବିଚାରାଧିନ ରହିଛି ଆହୁରି ୩ଟି ମାମଲା । ପ୍ରଥମ ମାମଲାରେ ୨୦୧୩ ମସିହାରେ ତାଙ୍କୁ ୫ ବର୍ଷ ଜେଲ ଓ ୨୫ ଲକ୍ଷ ଟଙ୍କା ଜରିମାନା ହୋଇଥିଲା । ତେବେ ସେହିବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା ।

୭. ଦ୍ୱିତୀୟ ମାମଲାରେ ହୋଇଛି ସାଢେ ତିନି ବର୍ଷ ଜେଲ ଦଣ୍ଡ । ୧୯୯୧ରୁ ୧୯୯୬ ମସିହାରେ ଦେଓଘର ଜିଲ୍ଲା ଟ୍ରେଜେରୀରୁ ୮୯ ଲକ୍ଷ ଟଙ୍କାର ହେରଫେର ହୋଇଥିବା ନେଇ ଲାଲୁଙ୍କ ସମେତ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ରାଂଚି ସିବିଆଇ କୋର୍ଟ । ଏପର୍ଯ୍ୟନ୍ତ ୩୭୫ ଦିନ ଜେଲରେ କାଟିଛନ୍ତି ପୂର୍ବ ଭାରତର ଏହି ପ୍ରଭାବଶାଳୀ ନେତା ।