ଶୀତରେ ଥରୁଛି ସାରା ରାଜ୍ୟ । କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ତିନି ଡିଗ୍ରୀ

36

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତର ଲହରୀ । ରାତିକୁ ରାତି ଶୀତ ନୂଆ ରେକର୍ଡ ଭାଙ୍ଗୁଛି । ଗତକାଲି ଦାରିଙ୍ଗବାଡିରେ ରାଜ୍ୟର ସବୁଠୁ କମ୍ ତାପମାତ୍ରା ୩ ଡିଗ୍ରୀ ରେକର୍ଡ ହୋଇଛି । ସେଠାରେ କିଛି ସ୍ଥାନରେ ହାଲକା ତୁଷାରପାତ ବି ଦେଖିବାକୁ ମିଳିଛି । ରାଜ୍ୟରେ ଚଳିତବର୍ଷର ଏହା ସର୍ବନିମ୍ନ ତାପମାତ୍ରା ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି ।

କେନ୍ଦ୍ରର ସୂଚନା ହେଲା, ଏଭଳି ହାଡ଼ଭଙ୍ଗା ଶୀତ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଲାଗି ରହିବ। ତାପମାତ୍ରା ଆହୁରି ୧ ଡିଗ୍ରୀ କମିପାରେ । ଅଳ୍ପ କିଛି ସ୍ଥାନରେ ତାପମାତ୍ରା ବଢ଼ିବା ସୂଚନା ମିଳୁଥିଲେ ବି ଶୀତରୁ ତ୍ରାହି ମିଳିବନି । କାରଣ ଏବେ ବାୟୁମଣ୍ଡଳ ପୂରା ଶୁଷ୍କ ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବି ଶୀତର ପ୍ରଭାବ ରହିଛି । ସାରା ରାଜ୍ୟ ଥରୁଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାର ଫୁଲବାଣୀ, ଦାରିଙ୍ଗବାଡ଼ି, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ ହେଉଛି । ଭୋର୍ ସମୟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହିପରି ଥଣ୍ଡା ଜାରି ରହିଲେ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ତୁଷାରପାତ ସମ୍ଭାବନାକୁ ଏଡ଼ାଇ ହେବନି।

ରାଜ୍ୟର ୧୩ଟି ସ୍ଥାନରେ ଗତକାଲି ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୩.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭, ଝାରସୁଗୁଡ଼ାରେ ୭.୧, କେନ୍ଦୁଝରଗଡ଼ରେ ୮, ସମ୍ବଲପୁରରେ ୮.୪, ଭବାନୀପାଟଣାରେ ୭.୫, ବଲାଙ୍ଗୀରରେ ୯.୫, କୋରାପୁଟରେ ୮.୫, ସୋନପୁରରେ ୮.୮ ଡିଗ୍ରୀ ରେକର୍ଡ ହୋଇଛି । ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ହେଁ ଏହାର ପ୍ରଭାବ ଏବେ ସୁଦ୍ଧା ପରିଲକ୍ଷିତ ହୋଇନାହିଁ। ଯଦି ଏହା ଘନୀଭୂତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ଶୀତର ପ୍ରଭାବ ସାମାନ୍ୟ କମିପାରେ।