ଦୁର୍ଗମ ଅଂଚଳର କରୁଣ କାହାଣୀ ! ଅଜଣା ରୋଗରେ ଶିକାର ହେବା ପରେ ଅସ୍ୱାଭାବିକ ଭାବେ ବଢି ଚାଲିଛି ହାତ, ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

58

କନକ ବ୍ୟୁରୋ : ଦୁର୍ଗମ ଅଂଚଳର କରୁଣ କାହାଣୀ । ଆଦିବାସୀ ବାପା ମାଆ ଛେଉଣ୍ଡ ଯୁବତୀ ଅଜଣା ରୋଗରେ ଶିକାର । ଆର୍ଥିକ ଅନଟନ ସହ ଜୀବନ ଧାରଣ ପାଇଁ ସରକାରୀ ସାହାଯ୍ୟକୁ ଅପେକ୍ଷା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ପଦ୍ମପୁର ବ୍ଲକ୍ ପେରୁପାଙ୍ଗ ଗାଁରେ । ଯାହା ଦର୍ଶାଉଛି ମିତାଙ୍କ ପାଇଁ ଜୀବନ କେମିତି ପାଲଟିଛି ବୋଝ ।

ସେତେବେଳେ ମୃତ୍ୟୁ ହୋଇଯାଏ ଚିର ଇପସିତ । କିଛି ଏଭଳି କାହାଣୀ ପେରୁପାଙ୍ଗ ଗାଁର ଅସହାୟ ଯୁବତୀ ମିତା ଶବରଙ୍କର । ମୁଣ୍ଡ ଉପରେ ନାହିଁ ବାପା, ମାଆର ନିରାପଦ ଆଶ୍ରୟ । ଆର୍ଥିକ ଅନଟନରେ ଜୀବନ ବିତୁଥିବା ବେଳେ ଦାଉ ସାଧିଛି ଶାରୀରିକ ଅସୁସ୍ଥତା । ପିଲାବେଳୁ ଡାହାଣ ହାତ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ମିତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ଚିକିତ୍ସା ହେଲେ ମିତା ସୁସ୍ଥ ହେବେ କିନ୍ତୁ ଚିକିତ୍ସା ପାଇଁ ଟଙ୍କା ନାହିଁ । ସରକାରୀ ସାହାଯ୍ୟ ମିଳିଲେ ଚିକିତ୍ସା କରାଇବେ ମିତା ଶବର ।

ମିତାଙ୍କ ଏବେ ସାହା ଭରସା ପାଲଟିଛନ୍ତି ବଡ଼ଭଉଣୀ କୁମାରୀ ଶବର । କୁମାରୀ ଦିନମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ବେଳେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ଜୀବନ । ସେପଟେ ପ୍ରାଥମିକ ଭାବେ ମିତାଙ୍କୁ ୧୫ହଜାର ଟଙ୍କା ଦେଇଛି ଜିଲ୍ଲା ରେଡକ୍ରସ୍ । ଆଗାମୀ ଦିନରେ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଦାରିଦ୍ର୍ୟ ସହ ପୁଣି ଶାରୀରିକ ଅସୁସ୍ଥତା । ମିତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ଜୀବନ । ତେବେ ଖୁବ ଶୀଘ୍ର ଏଭଳି ଦୁର୍ଦ୍ଦିନରୁ ମୁକ୍ତି ମିଳିବ ବୋଲି ଆଶା ବାନ୍ଧିଛନ୍ତି ମିତା ଶବର ।