କୋହିନୂର ନେଇ ଭିନ୍ନ ମତ ଦେଲା ଏଏସଆଇ ! ଲାହୋରର ମହାରାଜ ବ୍ରିଟେନ ରାଣୀଙ୍କୁ ଦେଇଥିଲେ ହୀରା, ତଥ୍ୟ ନେଇ ଆରମ୍ଭ ହେଲା ବିବାଦ ।

107

କନକ ବ୍ୟୁରୋ : ଭାରତର ଅମୂଲ୍ୟ ରତ୍ନ କୋହିନୂର ହୀରାକୁ ନେଇ ପୁଣି ସାମନାକୁ ଆସିଛି ଆଉ ଏକ ବିବାଦ । ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ସୂଚନା ଦେଇ ଭାରତୀୟ ପ୍ରତ୍ନତତ୍ୱ ବିଭାଗ କହିଛି କୋହିନୂରକୁ ଲାହୋରର ତକ୍ରାଳିନ ମହାରାଜା, ମହାରାଣୀ ଭିକ୍ଟୋରିଆଙ୍କ ନିକଟରେ ସମର୍ପଣ କରିଦେଇଥିଲେ । ଏଏସଆଇର ତଥ୍ୟ ଅନୁଯାୟୀ ୧୮୪୯ରେ ଲର୍ଡ ଡ୍ୟାଲହାଉସି ଓ ମହାରାଜା ଦୁଲ୍ଲୀପ ସିଂହଙ୍କ ମଧ୍ୟରେ ଲାହୋର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଦୁଲିପ ସିଂ କୋହିନୂରକୁ ବ୍ରିଟେନର ରାଣୀଙ୍କୁ ସମର୍ପିତ କରିଥିଲେ ।

ଅନ୍ୟପଟେ ୨୦୧୬ ମସିହା ଏପ୍ରିଲ ମାସରେ କୋହିନୂର ହୀରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ । ଏଥିରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ କୋହିନୂରକୁ ମହାରାଜା ରଣଜିତ୍ ସିଂହଙ୍କ ଉତ୍ତରାଧିକାରୀ ବ୍ରିଟିଶକୁ ପ୍ରଦାନ କରିଥିଲେ । ଏବଂ ଆଂଗ୍ଲୋ-ଶିଖ ଯୁଦ୍ଧରେ ହୋଇଥିବା କ୍ଷତିର ଭରଣା ପାଇଁ କୋହିନୂରକୁ ପ୍ରଦାନ କରିଥିଲେ ବୋଲି ଦର୍ଶାଯାଇଥିଲା । ତେଣୁ ଏହି ଦୁଇଟି ତଥ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ । ପ୍ରକୃତରେ ବ୍ରିଟିଶ୍ ପାଖକୁ କେମିତି ଗଲା ଏହି ମୂଲ୍ୟବାନ ହୀରା ତାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିଛି ।