ଜାମୁକୋଳି ଗଛରୁ ଖସିପଡି ୧୨ବର୍ଷର ବାଳକ ବେକରେ ଡାଳ ପଶିଯିବା ଘଟଣା ! ୪ ଘଂଟାର ଅପରେସନ୍ ପରେ କାଠଖୁଂଟା କାଢିଲେ ଏସସିବିର ଡାକ୍ତରୀ ଟିମ୍

56

କନକ ବ୍ୟୁରୋ : ସାମାନ୍ୟ ଜାମୁକୋଳି ତୋଳିବାର ଆଶା ମଧ୍ୟ ବଡ ବିପଦ ଆଣିପାରେ ତାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳର ଜଣେ ୧୩ ବର୍ଷର ବାଳକ, ଡାଳ ସହ ଗଛରୁ ପଡ଼ିଯିବା ଫଳରେ ଛାତିରେ ପଶି ଯାଇଥିଲା ଡାଳ । ଆଉ ଏହି ଛଟପଟ ଅବସ୍ଥାରେ କଟକ ବଡ ମେଡ଼ିକାଲରେ ପହଂଚିଥିବା ଏହି କୁନି ପିଲାର ଅପରେସନ୍ ହୋଇଛି । ଦୀର୍ଘ ୪ ଘଂଟାର ଅପରେସନ୍ ପରେ ସଫଳ ହୋଇଛି ଏହି ଅପରେସନ୍ । ଯାହା ଫଳରେ ଏକ ବଡ ସଂକଟ ଟଳିଯାଇଛି ।

ଜାମୁକୋଳି ତୋଳିବା ସମୟରେ ତୀର ମାରିଲା ଭଳି ଛାତିରେ ପଶି ରହିଥାଏ ଗଛର ଏକ ଶକ୍ତ ଡାଳ, ଆଉ ଛଟପଟ ହେଉଥାଏ ୧୩ ବର୍ଷିୟ ବିଷ୍ଣୁ ମହାକୁଡ଼ । ଜାମୁକୋଳି ଖାଇବା ପାଇଁ ଯେମିତି ବାଜି ଲାଗିଯାଇଥାଏ ଜୀବନ । ଗଛରେ ଚଢ଼ି ଜାମୁକୋଳି ତୋଳିବା ବେଳେ ଅଚାନକ୍ ତଳେ ପଡ଼ି ଯାଇ ଏଭଳି ଏକ ବିପଦ ସଂକୁଳ ଅବସ୍ଥାରେ ପଡ଼ିଥାଏ କୁନି ପିଲାଟି । ଆଉ କିଛି ଚିନ୍ତା କରିବାର ସମୟ ନଥାଏ, ପରିବାର ଲୋକ ପିଲାଟିକୁ ନେଇ ଆସିଲେ ହସ୍ପିଟାଲ । ଯନ୍ତ୍ରଣାରେ ଛଟପଟ ହେଉଥିବା କୁନି ପିଲାକୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଆଉ ସେଠୁ ସିଧା କଟକ ବଡ ମେଡ଼ିକାଲ । ପିଲାଟିର ଅବସ୍ଥା ଦେଖି, ତୁରନ୍ତ ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଗଲା ଡାକ୍ତରୀ ଟିମ୍ ।

ଛାତିରୁ ବେକ ଯାଏଁ ଗଳି ଯାଇଥିବା ଡାଳକୁ ବାହାର କରିବା ଯେତିକି ବଡ ଚ୍ୟାଲେଂଜ୍ ଥାଏ, ସଫଳତାର ସହ ଅପରେସନ୍ କରିବା ମଧ୍ୟ ଡାକ୍ତରଙ୍କ ପାଇଁ ସେତିକି ବଡ ଆହ୍ୱାନ୍ ଥାଏ । ଆଉ ଦୀର୍ଘ ୪ ଘଂଟାର ଆପ୍ରାଣ ଉଦ୍ୟମ ପରେ ସଫଳ ହେଲା ଅପରେସନ୍ । ଏବେ ବିପଦ ମୁକ୍ତ ବିଷ୍ଣୁ ମହାକୁଡ । ଅପରେସନ୍ ପରେ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କୁ ଆଇସିୟୁରେ ରଖାଯାଇଛି । ପ୍ରାୟ ୭୨ ଘଂଟା ଯାଏଁ ବିଷ୍ଣୁଙ୍କୁ ଆଇସିୟୁରେ ରଖିବା ପାଇଁ କାର୍ଡିଓଥେରାସିସ୍ ବିଭାଗର ଡାକ୍ତରମାନେ ପରାପର୍ଶ ଦେଇଛନ୍ତି । ବେକ, ଛାତି, ହୃଦୟ ଏବଂ ଶ୍ୱାସନଳି, ଭଳି ଅତି ସମ୍ବେଦନଶୀଳ ଅଙ୍ଗକୁ ସୁରକ୍ଷା ଦେଇ ଏହି ଅପରେସନ୍ କରିବା ଏତେ ସହଜ ନଥିଲା ।

ଅପରେସନ୍ ସଫଳ ହେବା ପରେ ଏବେ ଏକ ବଡ଼ ଧରଣର ସଂକଟ ଟଳିଯାଇଛି । ତେବେ ଠିକ୍ ସମୟରେ ଆହତଙ୍କୁ ହସ୍ପିଟାଲ ପହଂଚାଇବା ଏବଂ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ବିଷ୍ଣୁଙ୍କୁ ଏକ ନୂଆ ଜୀବନ ଦେଇଛି । ସାମାନ୍ୟ ଅସାବଧାନତା କେତେ ବଡ ବିପଦ ବିପଦ ଆଣିପାରେ କେନ୍ଦୁଝର ଜିଲ୍ଳାର ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରିହେଉଛି ।