ଗୁମୁଡୁମାହା ଗାଁରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ : କନକ ନ୍ୟୁଜର ଏକ୍ସକ୍ଲୁସିଭ୍ କଭରେଜ୍

44

କନ୍ଧମାଳ : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ନୀରିହ ଗ୍ରାମବାସୀଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲାର ଏ ଅଭାବନୀୟ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଦିବାସୀ ଓ ଦଳିତ ଲୋକଙ୍କୁ ମାଓବାଦୀ ଭାବି ମାରି ଦେବା ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସେପଟେ କେଉଁ ପରିସ୍ଥିିତିରେ ସୁରକ୍ଷାକର୍ମୀ ଚଳାଇଲେ ଗୁଳି । କନ୍ଧମାଳ ଜିଲ୍ଲାର ସେହି ଦୁର୍ଗମ ଅଂଚଳରେ ପହଁଚି ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରସ୍ତୁତ କରିଛି କନକ ନ୍ୟୁଜ୍ ।

ନୀରିହ ଆଦିବାସୀଙ୍କ କରୁଣ କାନ୍ଦରେ ଜଙ୍ଗଲର ନୀରବତା ଖିନଭିନ୍ ହୋଇଯାଉଛି । ପ୍ରିୟ ପରିଜନଙ୍କ ଅକାଳ ମୃତ୍ୟୁକୁ କେହି ଯେମିତି ସହଜରେ ଗ୍ରହଣ କରିବାକୁ ନାରାଜ୍ । ବ୍ୟବଚ୍ଛେଦ ପରେ ଗୋଟିଏ ପରେ ଗୋଟିଏ ମୃତଦେହ ଗାଁରେ ପହଁଚୁଛି । ଏ କୋହର ଚିତ୍ର ଆଜିର । ଯାହା ସାରା ରାଜ୍ୟ ପାଇଁ ଲଜ୍ଜା ସୃଷ୍ଟି କରିଛି । ବାଲିଗୁଡା ବ୍ୟାଙ୍କରୁ ଏନଆରଜିଏସ୍ ବାବଦ ମଜୁରୀ ଟଙ୍କା ଉଠାଇ ଦୁଇଟି ଅଟୋରେ ଏହି ରାସ୍ତା ଦେଇ ସେଦିନ ସନ୍ଧ୍ୟାରେ ଗାଁକୁ ଫେରୁଥିଲେ ପ୍ରାୟ ୧୮ ଜଣ ଗ୍ରାମବାସୀ । ଜଙ୍ଗଲିଆ ରାସ୍ତା ,ଝିପିରି ଝିପିରି ବର୍ଷା । ସନ୍ଧ୍ୟା ନଈ ରାତି ହୋଇଯାଇଥିଲା ପ୍ରାୟ ୮ଟା । ଆଉ ଏ ସମୟରେ ଗାଁ ଠାରୁ ମାତ୍ର କିଛି ବାଟ ପୂର୍ବରୁ ଏହି କଲଭର୍ଟ ନିକଟରେ ଦବି ଗଲା ପ୍ରଥମ ଅଟୋର ଚକା । କିଟିମିଟି ଅନ୍ଧାରରେ ଆରମ୍ଭ ହେଲା ଘରକୁ ଫେରିବାର ସଂଘର୍ଷ । କିଛି ପୁରୁଷ ଓ ସ୍ତ୍ରୀ ଓହ୍ଲାଇ ଆସିଲେ ଅଟୋରୁ । ପଛ ଅଟୋରେ ବସିଥିଲେ ଆଉ କିଛି ଲୋକ । ଆଉ ଏ ସମୟରେ ହଠାତ୍ ଆରମ୍ଭ ହେଲା ଆଖିବୁଜା ଗୁଳିମାଡ ।

ମାତ୍ର କିଛି ମିନିଟ୍ । ପାହାଡି ବର୍ଷା ଠାରୁ ଆହୁରି ଭୟଙ୍କର ହୋଇ ଯାଇଥିଲା ଗୁଳିବର୍ଷା । ହେଲେ ପାହାଡ ଛାତିରେ ପିଟି ହୋଇ ଅନ୍ଧାର ରାତିରେ ମିଳେଇ ଯାଉଥିଲା ନୀରିହ ମଣିଷଙ୍କ ଶେଷ ଚିତ୍କାର । ହେଲେ ନୀରିହ ଲୋକଙ୍କ ଏ ଚିତ୍କାର କିନ୍ତୁ ସୁରକ୍ଷାକର୍ମୀଙ୍କ ଭ୍ରମକୁ ଦୂରେଇ ପାରୁନଥିଲା ରାତି ତମାମ ଗାଁକୁ ଘେରାବନ୍ଦୀ କରି ରଖିଥିଲେ ସୁରକ୍ଷାକର୍ମୀ । ଯିଏ ମରିଗଲା ସେ ତରିଗଲା । ଆଉ ଯିଏ ଗୁଳି ଖାଇ ବଂଚିଲା , ସେମିତି ଛଟପଟ୍ ହୋଇ ପଡି ରହିଲା ଗାଁ ଭିତରେ । ଶନିବାର ଅପରାହ୍ନ ପରେ ପ୍ରଶାସନ ଗାଁରେ ପହଁଚି ପ୍ରଥମେ ବାଲିଗୁଡା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତିକଲା ଅଧାମଲା ଲୋକଙ୍କୁ ।