ଅନୁକମ୍ପା ଜଣାଇଲେ ,ହେଲେ ଆନ୍ତରିକତା ଦେଖେଇଲେନି : ସରକାରଙ୍କ ସତକଥା

75

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି ୫ ଜଣ । ଆହତ ୫ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍ ଓ ଜଣେ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଅନୁକମ୍ପା ରାଶି ସହ ମୃତକଙ୍କ ପରିବାରକୁ ଚାକିରି ଦେବାକୁ ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଆନ୍ତରିକତା କେତେ ରହିଛି, ତାହା ଗୁଳିମାଡରେ ଆହତଙ୍କ ପାଇଁ କରାଯାଇଥିବା ଚିକିତ୍ସା ବ୍ୟବସ୍ଥାରୁ ସ୍ପଷ୍ଟ ହୋଇଯାଇଛି । ସେପଟେ ଗତକାଲି ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଛି ଜଣେ ୧୩ ମାସର ଶିଶୁ । ମାଆ ଅଳ୍ପକେ ବର୍ତି ଯାଇଛି । ଯିଏ କହିଛି ସେଦିନ ରାତିର ସେହି କରୁଣ କାହାଣୀ ।

ଗୋଟିଏ ଗୁଳିରେ କାଖରୁ ଖସିଗଲା ୧୩ ମାସର ପୁଅ । ବିନା କାନ୍ଦବୋବାଳିରେ ବନ୍ଦ ହୋଇଗଲା ତା ହୃତସ୍ପନ୍ଦନ । ଗୁଳି ସହିଲା , ମାଆ ପାଇଁ ସାଜିଲା ସୁରକ୍ଷା କବଚ । ଯାହା ଫଳରେ ଅଳ୍ପକେ ବଂଚିଗଲା ମାଆ । ବାଲିଗୁଡା ମେଡିକାଲରେ ଭର୍ତି ହୋଇଛି ସେହି ମାଆ । ଯାହା ପୁଅ ଯୁବା ନ ହୋଇ ଜବାନ୍ ସାଜିଛି , ଯିଏ ମାଆ ପାଇଁ ନିଜ ଜୀବନ ଦେଇଛି । ମାଆ କାଖରୁ ସୁରକ୍ଷାକର୍ମୀ ଛଡାଇ ନେଇଛନ୍ତି , ତା କୋଳପୋଛା ପୁଅକୁ ।

ଗୁଳିକାଣ୍ଡର ପ୍ରାୟ ୧୬ ଘଂଟା ପରେ ଗାଁରୁ ଉଦ୍ଧାର କରି ଏମାନଙ୍କୁ ମେଡିକାଲରେ ଭର୍ତି କରିଥିଲେ ସରକାର । ପ୍ରଥମେ ବାଲିଗୁଡା ଓ ପରେ ବ୍ରହ୍ମପୁରକୁ ଅଣାଯାଇଥିଲା ଏ ଅଧାମଲା ଲୋକଙ୍କୁ । ଏମକେସିଜି ମେଡିକାଲର ଅର୍ଥପେଡିକ୍ ୱାର୍ଡରେ ବେଡଟିଏ ବି ଯୋଗାଇ ଦିଆଯାଇ ନାହିଁ । ଯନ୍ତ୍ରଣାରେ ଛଟପଟ ଲୋକେ ତଳେ ସେମିତି ଗଡୁଛନ୍ତି । ଗୁରୁତର ଭାବେ ଆହତ ୪ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।