ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା: ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ବହିବ ପବନ

159

କନକ ବ୍ୟୁରୋ: ଆଉ ୧୨ ଘଣ୍ଟା ପର‌୍ୟ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ଜାରି ରହିବ। ଅଧାଧିକ ଜିଲ୍ଲାରେ କୁଆପଥର ବର୍ଷା ସହ ପବନ ହେବ। ଠାଏ ଠାଏ ବଜ୍ରପାତର ଆଶଙ୍କା ବି ରହିଛି। ଏହାପରେ ପାଗରେ କିଛିଟା ପରିବର୍ତ୍ତନ ହେବ। କାଳବୈଶାଖୀ ପ୍ରଭାବ କମିବ। ହେଲେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବ। ମାର୍ଚ୍ଚ ୧ ଓ ୨ତାରିଖରେ ପାଗ ଶୁଖିଲା ରହିବ। ୩ ତାରିଖରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ହାଲକା ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପୂର୍ବାନୁମାନ କରାଯାଇଛି ଯେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ନୟାଗଡ଼, ଖୋର୍ଧା, ପୁରୀ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଓଡ଼ିଶା ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୨୫ରୁ ୩୫କିମି ବେଗରେ ପବନ ହେବ। ବେଳେବେଳେ ୪୫କିମି ବେଗରେ ବି ପବନ ବୋହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ କଟକର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୫୩.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୨୩.୪, ଅନୁଗୁଳରେ ୧୦, କେନ୍ଦୁଝରରେ ୯.୫, ଝାରସୁଗୁଡ଼ାରେ ୩.୨, ସମ୍ବଲପୁରରେ ୨, ହୀରାକୁଦରେ ୧.୫ ମିଲି ବର୍ଷା ହୋଇଛି। ରାତିରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି।

Comments are closed.