ସାଉଦି ଆରବର ସାମ୍ବାଦିକ ଖସୋଗିଙ୍କ ହତ୍ୟା ଘଟଣାକୁ ନେଇ ଅଡୁଆରେ ଏବେ ରାଜ ପରିବାର

34

କନକ ବ୍ୟୁରୋ : ସାମ୍ବାଦିକ ଜମାଲ୍ ଖସୋଗିଙ୍କ ହତ୍ୟା ସମ୍ପର୍କରେ ସାଉଦି ଆରବ ସରକାର ରଖିଥିବା ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହି ଘଟଣା ପାଇଁ ସାଉଦିକୁ ଗଭୀର ନିନ୍ଦା କରିଛନ୍ତି। ଫଳରେ ସାଉଦି ରାଜ ପରିବାର ଅଡୁଆରେ ପଡ଼ିଛି ଯେଉଁଭଳି ଢଙ୍ଗରେ ସାଉଦି ଖସୋଗିଙ୍କ ହତ୍ୟା ଘଟଣାର ବିବୃତି ରଖିଲା, ସେଥିରେ ମଧ୍ୟ କିଛି ପାଶ୍ଚାତ୍ୟ ରାଷ୍ଟ୍ର ପ୍ରଶ୍ନ ଉଠାଇବା ସହ ତୁର୍କୀ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା ଦର୍ଶାଇଛନ୍ତି। ଏହାପରେ ଦୋଷୀ ଅଧିକାରୀଙ୍କ ସମେତ ରିୟାଦ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ତାହା ସ୍ଥିର କରାଯିବ ବୋଲି ରାଷ୍ଟ୍ରଗୁଡ଼ିକ ସାଉଦି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଆଗାମୀ ସପ୍ତାହରେ ଖସୋଗିଙ୍କ ହତ୍ୟା ସମ୍ପର୍କରେ ନୂଆ ତଥ୍ୟ ପ୍ରକାଶ ପାଇବ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ ରବିବାର କହିଛନ୍ତି।

ସୂଚନା ମୁତାବକ ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଓ କାନାଡ଼ା ଭଳି ରାଷ୍ଟ୍ରର ମନ୍ତ୍ରୀମାନେ ଖସୋଗିଙ୍କ ହତ୍ୟା ଘଟଣାରେ ସାଉଦି ଆରବକୁ ତୀବ୍ର ସମାଲୋଚନା କରିଛନ୍ତି। ହତ୍ୟା କରାଯିବାର ଦୁଇ ସପ୍ତାହ ପରେ ସାଉଦି ସରକାର ମୁହଁ ଖୋଲିବାକୁ ନେଇ ଏମାନେ ପ୍ରଶ୍ନ ଉଠାଇଛନ୍ତି। ଜଣେ ବରିଷ୍ଠ ସାଉଦି ଅଧିକାରୀଙ୍କ କହିବାନୁସାରେ ସାଉଦି ରାଜକୁମାର ମହମ୍ମଦ ବିନ୍ ସଲମାନଙ୍କ ପକ୍ଷରୁ ନିର୍ଦ୍ଦେଶ ନଥିବା ସତ୍ତ୍ବେ ୧୫ ସାଉଦି ଅଧିକାରୀ ଖସୋଗିଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।