ଝାରସୁଗୁଡାରେ ଅଏଲ୍ ଟର୍ମିନାଲ୍ ଲୋକାର୍ପିତ : ଶସ୍ତା, ନିରନ୍ତର ଇନ୍ଧନ ସହ ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୀତିକୁ ଲାଭ ମିଳିବ କହିଲେ ଧର୍ମେନ୍ଦ୍ର ପ୍ରଧାନ

36

କନକ ବ୍ୟୁରୋ : ଝାରସୁଗୁଡାରେ ଅଏଲ୍ ଟର୍ମିନାଲ ଲୋକାର୍ପିତ ହୋଇଛି । ଏହା ଶସ୍ତା , ନିରନ୍ତର ଇନ୍ଧନ ସହ ସ୍ଥାନୀୟ ବ୍ୟବସାୟ ଓ ଅର୍ତନୀତିକୁ ଲାଭ ମିଳିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବ ଭାରତରେ ଓଡିଶା ଏବଂ ଝାରସୁଗୁଡା ଜିଲ୍ଲାରେ ଅପାର ସମ୍ଭାବନା ଅଛି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବ ଭାରତ ବିକାଶ ପ୍ରାଥମିକତାରେ ଏହି ଜିଲ୍ଲା ସମ୍ପୂର୍ଣ ପୂର୍ବ ଭାରତର ବିକାଶରେ ଏକ ପ୍ରମୁଖ ଅଂଚଳ ହୋଇ ପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ଠାରେ ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲ ଟର୍ମିନାଲ ସମେତ ପାରାଦୀପ- ରାୟପୁର- ରାଂଚି ପାଇପଲାଇନ, ଜଟଣୀର ପରିବର୍ଧିତ ତଥା ଝାଡଖଣ୍ଡର ରାଂଚି ଅଏଲ ଟର୍ମିନାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ପେଟ୍ରୋଲ, ଡିଜେଲ ଓ କିରୋସିନ ସଡକ ମାର୍ଗରେ ପରିବହନ ପରିବର୍ତ୍ତେ ଏହି ପାଇପଲାଇନ ଯୋଗେ ସହଜରେ ଓ କମ୍ ଖର୍ଚରେ ପରିବହନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକାଶର ପ୍ରମୁଖ ମାପଦଣ୍ଡ ମଧ୍ୟରେ ଶକ୍ତିର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । ଝାରସୁଗୁଡା ଠାରେ ଏହି ଟର୍ମିନାଲକୁ ପାରାଦୀପ – ରାୟପୁର- ରାଂଚି ପାଇପଲାଇନ ଦ୍ୱାରା ସଂଯୁକ୍ତ କରାଯିବା କାରଣ ଓଡିଶାର ସମ୍ପୂର୍ଣ୍ଣର୍ ପଶ୍ଚିମାଂଚଳରେ ନିରନ୍ତର ଓ କମ ମୂଲ୍ୟରେ ଇନ୍ଧନ ଯୋଗାଣ ସୁଗମ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଖୁବ ଶୀଘ୍ର ଏଚପିସିଏଲ ଓ ବିପିସିଏଲ ଦ୍ୱାରା ଆଉ ଗୋଟିଏ ଅଏଲ ଟର୍ମିନାଲ ଝାରସୁଗୁଡା ଜିଲ୍ଲାରେ ପ୍ରତିଷ୍ଠା ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୮୦୦ କୋଟି ଟଙ୍କା ବ୍ୟୟରେ ପାଇପଲାଇନ ଓ ଟର୍ମିନାଲରେ ଖର୍ଚ ହେଉଥିବା ବେଳେ କେବଳ ଝାରସୁଗୁଡା ଟର୍ମିନାଲ ପ୍ରକଳ୍ପରେ ୧୪୦ କୋଟି ଟଙ୍କା ଖର୍ଚ ହେଉଛି । ପାରାଦୀପ ପରିବର୍ତ୍ତେ ଝାରସୁଗୁଡାରୁ ଟ୍ରକ ଯୋଗେ ଓଡିଶାର ପଶ୍ଚିମାଂଚଳ ଜିଲ୍ଲାକୁ ପେଟ୍ରୋଲ, ଡିଜେଲ ଓ କିରୋସିନ ଯିବ । ଏହା ଦ୍ୱାରା ସ୍ଥାନୀୟ ସ୍ତରରେ ଲୋକମାନେ ବ୍ୟବସାୟ ଓ ନିଯୁକ୍ତି ସୁଯୋଗ ପାଇବା ସହ ସ୍ଥାନୀୟ ଅର୍ଥନୀତି ପାଇଁ ଏହା ଦୃଢ ସହାୟକ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବ ଭାରତରେ ଯିବାକୁ ଥିବା ନ୍ୟାଚୁରାଲ ଗ୍ୟାସ ପାଇପଲାଇନ ଉତ୍ତର ପ୍ରଦେଶର ଫୁଲପୁର ଠାରୁ ବାହାରି ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶା ସମେତ ରାଜ୍ୟ ଦେଇ ଯିବା ବେଳେ ଝାରସୁଗୁଡା ଜିଲ୍ଲା ମଧ୍ୟ ଏଥିରେ ସଂଯୁକ୍ତ ରହିବ ।

ପାଇପ ଯୋଗେ ଘରକୁ ପାଣି ଆସିବା ପରି ଘର ଘରକୁ ଶସ୍ତା ମୂଲ୍ୟରେ ରୋଷେଇ ଘରେ ଗ୍ୟାସ ପହଂଚା ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡାକୁ ପୂର୍ବରୁ ସାଂସଦ ଭାବରେ ପ୍ରତିନିଧିତ୍ୱ କରି ଝାରସୁଗୁଡାର ବିକାଶ ପାଇଁ ସାମିଲ ରହିଛନ୍ତି । ଝାରସୁଗୁଡାରେ ନୂଆ ରେଳ ଡିଭିଜନ ଦାବି ପରିପ୍ରେକ୍ଷୀରେ ଓଡିଶାର ଯେଉଁ ଯେଉଁ ଅଂଚଳ ପୂର୍ବତଟ ରେଳ ଜୋନ ବାହାରେ ରହିଛନ୍ତି ସେ ଅଂଚଳକୁ ନେଇ ଓଡିଶାରେ ନୂଆ ରେଳ ଜୋନ ଖୋଲିବା ସପକ୍ଷରେ ଶ୍ରୀ ପ୍ରଧାନ ମତ ଦେଇଛନ୍ତି ।

ଖୁବ ଶୀଘ୍ର ଝାରସୁଗୁଡା ଠାରେ ଏୟାରପୋର୍ଟ ଲୋକାର୍ପଣ ପାଇଁ ସେ ଆସିବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ମୋଦି ସରକାରଙ୍କର ବିକାଶ ମୂଳକ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ବେଳେ ରାଜ୍ୟରେ ମୋଟ କୋଟିଏ ଘରୁ ୨୦ ଲକ୍ଷ ଘରେ ଏଲପିଜି ପହଂଚି ଥିବା ବେଳେ ଏବେ ଏହି ସଂଖ୍ୟା ୫୫ ଲକ୍ଷରେ ପହଂଚିଛି । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ରାଜ୍ୟରେ ୧୭ ଲକ୍ଷ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦିଆ ଯାଇଛି । ୨୦୧୭ ଶେଷ ସୁଦ୍ଧା ଆଉ ଗୋଟିଏ ମାସରେ ସବୁ ଗାଁରେ ବିଜୁଳି ପହଂଚିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୦୧୮ ମସିହା ଶେଷ ସୁଦ୍ଧା ସବୁ ଘରେ ବିଜୁଳି ପହଂଚା ଯିବାର ଯୋଜନା ତିଆରି କରା ଯାଇଛି ।

ଓଡିଶାରେ ଆଜି ଦିନରେ ୩୦-୩୫ ଲକ୍ଷ ଘରେ ବିଜୁଳି ପହଂଚି ନ ଥିବା ପରିପ୍ରେକ୍ଷୀରେ ସବୁ ଘରେ ବିଜୁଳି ପହଂଚିବ ବୋଲି ମୋଦି ସରକାର ବ୍ୟୟବରାଦ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ଘରେ ପାଇଖାନା ନ ଥିବା କାରଣରୁ ସୂର୍ଯ୍ୟାସ୍ତ ପରେ ହିଁ ମହିଳାମାନେ ଶୌଚ ହେବା ପାଇଁ ବାହାରୁ ଥିଲେ । ମୋଦି ଗରୀବ ଘରୁ ଆସିଥିବା କାରଣରୁ ଚୁଲି ଧୁଆଁରୁ ମୁକ୍ତି ହେଉ ବା ଘରେ ଶୌଚାଳୟ ପରି ଯୋଜନା ପ୍ରବର୍ତ୍ତର୍ନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ଯୋଗୁ ଜନତାର ପ୍ରିୟ ହୋଇଛନ୍ତି ବୋଲି ସେ କହିଛନ୍ତି । ଝାରସୁଗୁଡା ଜିଲ୍ଲାରେ ସରକାର ଓ କମ୍ପାନୀ ମାନଙ୍କ ସହଯୋଗରେ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସପିଟାଲ କାହିଁକି ଖୋଲା ଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଝାରସୁଗୁଡା ଜିଲ୍ଲାର ବିକାଶ ପାଇଁ ସାଂସଦ ଓ ଝାରସୁଗୁଡା ଓ ବ୍ରଜରାଜନଗରର ବିଧାୟକଙ୍କ ସହ ମିଶି ଦିଲ୍ଲୀରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀ ଆସିବା ପାଇଁ ଶ୍ରୀ ପ୍ରଧାନ ନିମନ୍ତ୍ରଣ ଜଣାଇଥିଲେ ।