ପୁଣି ବିବାଦରେ ଲୋକପ୍ରିୟ ମ୍ୟାଗି ! ନିର୍ଦ୍ଧାରିତ ମାନଠାରୁ ଅଧିକ ପରିମାଣର ଆସ୍ ଥିବା ଅଭିଯୋଗ

24

କନକ ବ୍ୟୁରୋ : ପୁଣି ବିବାଦରେ ଲୋକପ୍ରିୟ ନୁଡୁଲ୍ସ ବ୍ରାଣ୍ଡ ମ୍ୟାଗି । ଲ୍ୟାବ ଟେଷ୍ଟରେ ଫେଲ ମାରିବା ପରେ ନେସଲେ ଇଣ୍ଡିଆକୁ ଜରିମାନା କଲା ଉତ୍ତରପ୍ରଦେଶ ଶାହାଜାହାନପୁର ପ୍ରଶାସନ । ମ୍ୟାଗି ନୁଡୁଲ୍ସରେ ଅଧିକ ପରିମାଣର ଆସ୍ ବା ପ୍ୟାକେଟ ଖାଦ୍ୟରେ ବ୍ୟବହାର ହେଉଥିବା ଏକପ୍ରକାର ଖଣିଜଦ୍ରବ୍ୟ ନିର୍ଦ୍ଧାରିତ ମାନଠାରୁ ଅଧିକ ଥିବା ଅଭିଯୋଗରେ ଏହି ଜୋରିମାନା କରାଯାଇଛି ।

ନେସଲେ କମ୍ପାନିକୁ ୪୫ ଲକ୍ଷ, ତିନିଟି ଡିଷ୍ଟ୍ରିବ୍ୟୁଟରଙ୍କୁ ୧୫ ଲକ୍ଷ ଏବଂ ୨ଟି ରିଟେଲର ବା ଖୁଚୁରା ବିକ୍ରେତାଙ୍କୁ ୧୧ ଲକ୍ଷ ଟଙ୍କାର ଜୋରିମାନା କରିଛି ଶାହାଜାହନପୁର ପ୍ରଶାସନ । ଗତବର୍ଷ ନଭେମ୍ବରରେ ସାମ୍ପୁଲ ନିଆଯାଇଥିବାବେଳେ ଏବେ ରିପୋର୍ଟ ଆସିବାରୁ ଜୋରିମାନା କରିଛି ୟୁପିର ସ୍ଥାନୀୟ ପ୍ରଶାସନ । ତେବେ ନେସଲେ କହିଛି ଏ ସଂପର୍କିତ କୌଣସି ନିର୍ଦ୍ଦେଶନାମା ଆମର ହସ୍ତଗତ ହୋଇନାହିଁ ଏବଂ ସଂଗ୍ରହ କରାଯାଇଥିବା ସାମ୍ପୁଲ ୨୦୧୫ ମସିହାର । ସେତେବେଳେ ଅଭିଯୋଗ ଆସିବା ପରେ ମ୍ୟାଗି ତାର ସମସ୍ତ ଉତ୍ପାଦକୁ ବଜାରରୁ ଫେରାଇ ନେଇଥିଲା । ଏବେ ବଜାରରେ ମିଳୁଥିବା ମ୍ୟାଗିର ସମସ୍ତ ଉତ୍ପାଦ ନିର୍ଦ୍ଧାରିତ ମାନ ଅନୁଯାୟୀ ପ୍ରସ୍ତୁତ ହେଉଛି ଓ ୧୦୦ ପ୍ରତିଶତ ଖାଦ୍ୟ ଉପଯୋଗୀ ବୋଲି କମ୍ପାନି କହିଛି ।