ନିୟନ୍ତ୍ରଣ ବାହାରେ ଜାପାନୀ ଏନସାଫାଲାଇଟିସ : ରୋକିବା ପାଇଁ ଆୟୋଜନ ହେଲା ହୋମଯଜ୍ଞ

29

ମାଲକାନଗିରି : ଜାପାନୀ ଏନସାଫାଲାଇଟିସରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ପ୍ରାଣ ହରାଇଛନ୍ତି ଆଉ ୨ଜଣ ଶିଶୁ । ଏହାସହ ୫୯ଦିନରେ ମୃତ୍ୟୁସଂଖ୍ୟା ୯୭ରେ ପହଂଚିଛି । ୨ମାସ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସାଫାଲାଇଟିସ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । କିନ୍ତୁ ଜାପାନୀ ଏନସାଫାଲାଇଟିସକୁ ରୋକା ଯାଇପାରିନାହିଁ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଜାପାନୀ ଜ୍ୱରରେ ଆକ୍ରାନ୍ତ କୌଣସି ଶିଶୁ ଏଯାଏଁ ସୁସ୍ଥ ହୋଇ ଘରକୁ ଫେରିନାହାନ୍ତି ।

ସେପଟେ ମୃତ୍ୟୁ ସଂଖ୍ୟା ଏବେ ଶତକ ଛୁଁଇବାକୁ ବସିଥିବା ବେଳେ ଏହାକୁ ରୋକିବା ପାଇଁ ଏକ ହୋମଯଜ୍ଞର ଆୟୋଜନ କରାଯାଇଛି । ମାଉଲି ମାଁ ମନ୍ଦିର କମିଟି ଏବଂ ମାଲକାନଗିରି ବ୍ରାହ୍ମଣ ସମାଜ ପକ୍ଷରୁ ଏହି ହୋମ ଯଜ୍ଞର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସହରର ଶତାଧିକ ଲୋକେ ଯୋଗଦେଇ ମୃତ ଶିଶୁଙ୍କ ଆତ୍ମାର ସତଗତି କାମନା କରିଥିଲେ । ଏହାସହ ପୀଡିତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ମାଲକାନଗିରି ଜିଲ୍ଲା ଜାପାନୀ ଜ୍ୱର କବଳରୁ ସମ୍ପୁର୍ଣ ମୁକ୍ତ ହୋଉ ବୋଲି ଇଶ୍ୱରଙ୍କ ନିକଟରେ କାମନା କରିଥିଲେ ସହରବାସୀ ।