ଅଭିମାନ କଲେ ଦାମ ! ନେତା ମନ୍ତ୍ରୀଙ୍କ ମନାଇବା ପରେବି ଗଲେନି ମଂଚ ଉପରକୁ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳବିବାଦ ବ୍ୟାପାରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ବିଜେଡି ସରକାର ମାନବ ଶୃଙ୍ଖଳ ଏବଂ ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହାର ପ୍ରସ୍ତୁତି ଲାଗି ଭୁବନେଶ୍ୱର ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ବସିଥିବା ବୈଠକରେ ଦଳର ଅଧିକାଂଶ ଏମ୍‌ପି, ଏମ୍‌ଏଲ୍‌ଏ ଏବଂ ନେତୃବୃନ୍ଦ ଏକତ୍ର ହୋଇଥିଲେ । ସଭା ମଞ୍ଚରେ ଦଳର ସମସ୍ତ ଉପସଭାପତିଙ୍କ ବସିବା ଲାଗି ବ୍ୟବସ୍ଥା ହୋଇଥିଲେ ମଧ୍ୟ ବରିଷ୍ଠ ନେତା ଦାମୋଦର ରାଉତ ମଞ୍ଚ ଉପରକୁ ନ ଯାଇ ଶ୍ରୋତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନରେ ବସିଥିଲେ ।

ଏହା ଦେଖି ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଓ ସୂର୍ଯ୍ୟ ପାତ୍ର ତାଙ୍କୁ ମଞ୍ଚ ଉପରକୁ ଆସି ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ, ଦାମବାବୁ କାହାରି ଅନୁରୋଧ ନରଖି କହିଥିଲେ, ମୁଁ ପାହାଚ ଚଢ଼ି ଉପରକୁ ଯିବାକୁ ଅସମର୍ଥ, ତେଣୁ ତଳେ ବସିଛି ।

ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ନେତାଦ୍ୱୟ ଦାମଙ୍କ ନିକଟକୁ ଯାଇ ତାଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣା ରାଜନୈତିକ ସମୀକ୍ଷକମାନଙ୍କୁ ବିସ୍ମିତ କରିଛି । ଆସନ ଥିବା ସତ୍ତ୍ୱେ, ମହାନଦୀ ଜଳ ବିବାଦ ଘଟଣାରେ ଟାଣୁଆ ପଦକ୍ଷେପ ନେବାକୁ ବାହାରିଥିବା ଦାମବାବୁ ମଞ୍ଚକୁ ଯିବାରେ ଅଭିମାନ କରିବା ସ୍ପଷ୍ଟ ବାରି ହୋଇପଡୁଥିଲା ।